ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି

Advertisment

ସିସୋର ‘ଇଣ୍ଟରଭେନସନ୍‌ ପିଟିସନ’ ଖାରଜ

ସିସୋର ‘ଇଣ୍ଟରଭେନସନ୍‌ ପିଟିସନ’ ଖାରଜ

ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି

ନୂଆଦିଲ୍ଲୀ : ଚିଟଫଣ୍ଡ ଦୁର୍ନୀତି ମାମଲାରେ ସାହାରା ଗ୍ରୁପ ଅଫ୍‌ କୋଅପ‌ରେଟିଭ୍ ସୋସାଇଟି ଦ୍ବାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ତତ୍ତ୍ବାବଧାନ କରିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି। ପ୍ରସ୍ତାବିତ କମିଟିରେ କେନ୍ଦ୍ରୀୟ ସମବାୟ ନିବନ୍ଧକ ମଧ୍ୟ ରହିବେ। ସୋମବାର ଦିନ ସୁପ୍ରିମକୋର୍ଟରେ ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣ‌ାଣି ବେଳେ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍ ଶାହା ଓ ବିଚାରପତି ସି.ଟି ରବିକୁମାରଙ୍କ ଖଣ୍ଡପୀଠ ଏହା ଘୋଷଣା କରିଛନ୍ତି।

ସୁପ୍ରିମକୋର୍ଟର କେଉଁ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବାବଧାନରେ କମିଟି ଗଠିତ ହେବ ତାଙ୍କ ନାମ ଘୋଷଣା ସର୍ବୋଚ୍ଚ ନ୍ୟାୟାଳୟ କରିବେ। ସାହାରା ଦ୍ବାରା କ୍ଷତିଗ୍ରସ୍ତ ପ୍ରସଙ୍ଗ ଶୁଣାଣି ଶେଷ ହୋଇଥିଲେ ମଧ୍ୟ ଆଦେଶକୁ ସଂରକ୍ଷିତ ରଖାଯାଇଛି। ଚଳିତମାସ ୨୭ରେ ସୁପ୍ରିମକୋର୍ଟ ବିସ୍ତୃତ ଆଦେଶ ଜାରି କରିବେ। ମାମଲାରେ ଲିଖିତ ନିବେଦନ ଦାଖଲପାଇଁ ତିନି ପକ୍ଷକୁ ସୁପ୍ରିମକୋର୍ଟ କହିଛନ୍ତି। ଗତ ଣୁଣ‌ାଣିବେଳେ କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ସଲିସିଟର୍‌ ଜେନେରାଲ ତୁଷାର ମେହେଟ୍ଟା ସାହାର-ସେବି ରିଫଣ୍ଡ ଆକାଉଣ୍ଟ୍‌ରେ ଜମାକାରୀଙ୍କ ୨୩,୯୩୭ କୋଟି ଟଙ୍କା ପଡ଼ିରହିଥିବା ଖଣ୍ଡପୀଠଙ୍କୁ ଜଣାଇଥିଲେ। ସେଥିରୁ ୫ ହଜାର କୋଟି ଟଙ୍କା ସାହାରା ଗ୍ରୁପ ଅଫ କୋଅପରିଟିଭ୍ ସୋସାଇଟି ଦ୍ବାରା କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ ପାଇଁ ଅନୁମତି ପ୍ରଦାନ ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲେ ଓ କେନ୍ଦ୍ର ସମବାୟ ମନ୍ତ୍ରାଳୟ ଦ୍ବାରା ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ହେବାକୁ ଥିବା ପ୍ରସ୍ତାବିତ କମିଟି ଟଙ୍କା ଫେରସ୍ତ ବ୍ୟବସ୍ଥାଗୁଡ଼ିକୁ ଚୂଡ଼ାନ୍ତ କରିବେ।

ଶୁଣାଣି ଅବସରରେ କ୍ଷତିଗ୍ରସ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ଜିତେନ୍ଦ୍ର ନାଥ ମହାପାତ୍ର ଆପତ୍ତି ଉଠାଇ କହିଥିଲେ ଯେ କେନ୍ଦ୍ର ସରକାର କେବଳ ସାହାରା ମାମଲାରେ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ତତ୍ପରତା ପ୍ରଦର୍ଶନ କରୁଛନ୍ତି। ଚିଟଫଣ୍ଡ ଦୁର୍ନୀତିରେ ଅନ୍ୟ କଂପାନିମାନଙ୍କ ଦ୍ବାରା ଶୀକାର ହୋଇଥିବା ନିବେଶକଙ୍କ ଅର୍ଥ ଫେରସ୍ତକୁ ନେଇ କୌଣସି ପଦକ୍ଷେପ ନିଆଯାଉନନାହିଁ ଦୁଇ ଆଇନଜୀବୀ ଅଭିଯୋଗ କରିଥିଲେ। ଏନେଇ ସଲିସିଟର ଜେନେରାଲ କହିଥିଲେ ଯେ ସେଗୁଡ଼ିକୁ ଅଲଗା ଭାବେ ବିଚାର କରାଯିବ।

ଚିଟଫଣ୍ଡ ଦୁର୍ନୀତି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ସିସୋର ଗ୍ରୁପ ଦ୍ବାରା ଦାଖଲ କରାଯାଇଥିବା ‘ଇଣ୍ଟରଭେନସନ୍‌ ପିଟିସନ’କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଚିଟଫଣ୍ଡ ଦୁର୍ନୀତିକୁ ନେଇ ସାମାଜିକ କର୍ମୀ ପିନାକ ପାଣି ମହାନ୍ତିଙ୍କ ଦ୍ବାରା ଦାଖଲ କରାଯାଇଥିବା ଜନସ୍ବାର୍ଥ ମାମଲାରେ ଓଡ଼ିଶାରେ ସାହାରା କଂପାନି ଦ୍ବାରା ଦୁଇ ଲକ୍ଷ ନିବେଶକଙ୍କ ଠାରୁ ଦୁଇ ହଜାର କୋଟି ଓ ସର୍ବଭାରତୀ ସ୍ତରରେ ୧୦ କୋଟି ନିବେଶକଙ୍କ ଠାରୁ ୨୫ ଲକ୍ଷ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଥିଲା। ଏହି ମାମଲାର ଶୁଣାଣି ଆଗକୁ ଜାରି ରହିବ। ମାମଲାର ପରବର୍ତ୍ତୀ ଶୁଣାଣି ମେ ୮କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe