ବିରୋଧୀଙ୍କୁ ଶାହଙ୍କ ଆହ୍ବାନ: ବିଲ୍‌କୁ ବିରୋଧର କାରଣ ବୁଝାଅ

କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଲଗାତାର ଯଦି ୩୦ ଦିନ ବିଚାରବିଭାଗୀୟ ହେପାଜତରେ ରୁହନ୍ତି ତେବେ ସେମାନଙ୍କୁ ସ୍ବୟଂ ପଦରୁ ହଟାଇବାର ବ୍ୟବସ୍ଥା ସମ୍ବିଧାନର ୧୩୦ତମ ସଂଶୋଧନ ବିଲ୍‌-୨୦୨୫ରେ ରହିଛି।

sfshhsfhfssf

ନୂଆଦିଲ୍ଲୀ: କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଲଗାତାର ଯଦି ୩୦ ଦିନ ବିଚାରବିଭାଗୀୟ ହେପାଜତରେ ରୁହନ୍ତି ତେବେ ସେମାନଙ୍କୁ ସ୍ବୟଂ ପଦରୁ ହଟାଇବାର ବ୍ୟବସ୍ଥା ସମ୍ବିଧାନର ୧୩୦ତମ ସଂଶୋଧନ ବିଲ୍‌-୨୦୨୫ରେ ରହିଛି। ଏହି ବିଲ୍‌ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ସୋମବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ସାର୍ବଜନୀନ ଜୀବନରେ ନୈତିକତାକୁ ସୁନିଶ୍ଚିତତା କରିବାର ଏହି ପ୍ରୟାସକୁ ବିରୋଧୀମାନେ କାହିଁକି ବିରୋଧ କରୁଛନ୍ତି ତାହା ସେମାନେ ଲୋକଙ୍କୁ ବୁଝାନ୍ତୁ ବୋଲି ଗୃହମନ୍ତ୍ରୀ ଶାହ ଆହ୍ବାନ କରିଛନ୍ତି।

ବିରୋଧୀ ଦଳଗୁଡ଼ିକଙ୍କୁ ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଜେଲ୍‌ରେ ଥାଇ ସରକାର ଚଳାଇବା ଗଣତନ୍ତ୍ର ପାଇଁ ସମୀଚୀନ କି?  ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, କୌଣସି ମାମଲା ବିଚାରାଧୀନ ଥିଲେ ନୈତିକତା ଦୃଷ୍ଟିରୁ ଇସ୍ତଫା ନଦେଇ ଜେଲ୍‌ରୁ ସରକାର ଚଳାଇବାର ଏବେ ନୂଆ ଧାରା ଆରମ୍ଭ ହୋଇଛି। ବିରୋଧୀ ଏହି ବିଲ୍‌କୁ ପ୍ରବଳ ବିରୋଧ କରୁଥିବାବେଳେ ଏହାକୁ ସଂସଦୀୟ ଯୁଗ୍ମ କମିଟି (ଜେପିସି)କୁ ଅଧିକ ତର୍ଜମା ପାଇଁ ପଠାଯାଇଛି। ବିଲ୍‌କୁ ସଂସଦରେ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିବାରୁ ଶାହ ଏହାର କଡ଼ା ସମାଲୋଚନା କରିଥିଲେ। ସେ କହିଛନ୍ତି, ଯଦି ଏକ ନିର୍ବାଚିତ ସରକାର ସଂସଦରେ କୌଣସି ସମ୍ବିଧାନ ସଂଶୋଧନ ବିଲ୍‌ ଆଣନ୍ତି, ତା’ହେଲେ ଏହାକୁ ବିରୋଧ କରାଯିବାର କାରଣ କ’ଣ? ବିଲ୍‌କୁ ଜେପିସିକୁ ପଠାଯିବ ବୋଲି ମୁଁ ସ୍ପଷ୍ଟ କରିସାରିଛି। ବିରୋଧୀ ଏହା ଉପରେ ସେମାନଙ୍କ ମତାମତ ଦେଇପାରିଥାନ୍ତେ। ଏହା ଏକ ସାମ୍ବିଧାନ ସଂଶୋଧନ ବିଲ୍‌, ଏହାକୁ ପାରିତ କରିବାକୁ ଉଭୟ ଗୃହରେ ଆମକୁ ଦୁଇ ତୃତୀୟ‌ାଂଶ ସଂଖ୍ୟା ଗରିଷ୍ଠତାର ଆବଶ୍ୟକତା ରହିଛି। ଆମ ପାଖରେ ସଂଖ୍ୟା ଗଠିଷ୍ଠତା ଅଛି କି ନାହିଁ ତାହା ଭିନ୍ନ କଥା କିନ୍ତୁ ବିରୋଧୀ ମତାମତ ରଖିବା ସହିତ ଭୋଟ ଦେଇ ପାରିବେ। କିନ୍ତୁ ସଂସଦକୁ ଚ‌ଳେଇ ନଦେବା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ। ଆମେ ମଧ୍ୟ ବହୁ ପ୍ରସଙ୍ଗକୁ ବିରୋଧ କରିଛୁ।

ଜେଲ୍‌ରୁ ସରକାର ଚଳାଇବାର ନୂଆ ଧାରା ଆରମ୍ଭ ହୋଇଛି
ବିଲ୍‌କୁ ଉପସ୍ଥାପନ ହେବାକୁ ନ‌ଦେବା ମାନସିକତା ଗଣତାନ୍ତ୍ରିକ ନୁହେଁ
କେବଳ ସ୍ବାସ୍ଥ୍ୟଗତ କାରଣରୁ ଧନଖଡ଼ ଇସ୍ତଫା ଦେଇଛନ୍ତି

କୌଣସି ବିଲ୍‌କୁ ଉପସ୍ଥାପନ କରିବାକୁ ନ‌ଦେବା ମାନସିକତା ଗଣତାନ୍ତ୍ରିକ ନୁହେଁ, ‌ବିରୋଧୀ ଏନେଇ ଦେଶବାସୀଙ୍କ ନିକଟରେ ଜବାବ ଦେବା ଉଚିତ। ରାଜନୈତିକ ପ୍ରତିଶୋଧ ନେବା ପାଇଁ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରାଯିବାକୁ ବିରୋଧୀଙ୍କ ଅଭିଯୋଗକୁ ଶାହ ଖାରଜ କରି କହିଛନ୍ତି, ଏବେ ଦେଶରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଧିକ ସଂଖ୍ୟକ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ବ୍ୟବସ୍ଥା ସମସ୍ତଙ୍କ ଉପରେ ସମାନ ଭାବେ ଲାଗୁ ହେବ। ଯଦି କାହା ବିରୋଧରେ ମିଥ୍ୟା ଅଭିଯୋଗ ଆସେ, ତେବେ ସେ କୋର୍ଟ ଯାଇପାରିବେ।  ମିଥ୍ୟା ମାମଲା ହୋଇଥିଲେ କୋର୍ଟ ନିଶ୍ଚୟ ଜାମିନ ପ୍ରଦାନ କରିବେ। ଯଦି କୋର୍ଟରୁ ଜାମିନ ମିଳୁନାହିଁ, ତା’ହେ‌ଲେ ତୁମକୁ ପଦ ଛାଡ଼ିବାକୁ ପଡ଼ିବ।

ଶାହ କହିଛନ୍ତି, ଭାରତରେ ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି। ଯଦି କୌଣସି ନେତାଙ୍କ ପାଖରେ ବହୁମତ ରହିଛି ଓ ତାଙ୍କୁ ଜେଲ ଯିବାକୁ ପଡ଼ୁଛି ତାହେଲେ ସେହି ଦଳ ସଂଖ୍ୟା ଗରିଷ୍ଠତା ବଜାୟ ରଖୁଛି। କୌଣସି ଲୋକକୁ ଜେଲ ପଠାଇବା ବ୍ୟବସ୍ଥା ଏନ୍‌ଡିଏ ସରକାର କରିନାହାନ୍ତି। ଏହା ବହୁ ପୂର୍ବରୁ ରହିଛି। ଯଦି କେହି ଗୁରୁତର ଅପରାଧରେ ଜଡ଼ିତ ଥା’ନ୍ତି ତା’ହେଲେ ୫ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି। ଏହାସହିତ ଜନପ୍ରତିନିଧି ଆଇନ ଅନୁଯାୟୀ, ଯଦି କୌଣସି ନିର୍ବାଚିତ ପ୍ରତିନିଧି ଦୁଇ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୁଅନ୍ତି ତେବେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥାଏ। ସତ୍ୟେନ୍ଦ୍ର ଜୈନଙ୍କ ଉଦାହରଣ ଦେଇ ଶାହ କହିଥିଲେ, ତାଙ୍କୁ ୪ଟି ମାମଲାରେ ଜାମିନ ମିଳିନାହିଁ। ଶାହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିଛନ୍ତି। ଅତୀତରେ ଉପା ସରକାର ସମୟରେ ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ୍‌ ଦ୍ବାରା ଗୃହୀତ ଅଧ୍ୟାଦେଶକୁ ଚିରିବା ଏବଂ ଏବେ ‌ବିହାରରେ ଲାଲୁଙ୍କ ସହିତ ମିଶି ରାଜନୀତି କରିବା ରାହୁଲଙ୍କ ଦୋମୁହାଁ ନୀତିକୁ ସୂଚାଉଛି ବୋଲି ଶାହ ‌କହିଛନ୍ତି। ସାଧାରଣ ନିର୍ବାଚନରେ ଲଗାତାର ୩ ଥର ପରାଜିତ ହେବା ପରେ ରାହୁଲଙ୍କର ନୈତିକତା ବଦଳି ଯାଇଛି କି ବୋଲି ‌ଶାହ ପ୍ରଶ୍ନ କରିଛନ୍ତି। ଅତୀତରେ ନୈତିକତା ଦୃଷ୍ଟିରୁ ଏଲ୍‌କେ ଆଡଭାନୀ, ବିଏସ୍‌ ୟେଦୁରପ୍ପା , ଈଶ୍ବରପ୍ପା, ଜର୍ଜ ଫର୍ଣ୍ଣାଡିସ ଓ ହେମନ୍ତ ସୋରେନ କିପରି ଇସ୍ତଫା ଦେଇଥିଲେ ଶାହ ତାହାର ଉଦାହରଣ ଦେଇଛନ୍ତି। ସେହିଭଳି ନିଜ ମାମଲାରେ ତାଙ୍କୁ ସିବିଆଇ ସମନ ଜାରି ହେବା ମାତ୍ରେ ସେ ବି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ଶାହ କହିଛନ୍ତି। ସେହିଭଳି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ‌ଧନଖଡ଼ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ଇସ୍ତଫା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର କୌଣସି ଗୁରୁତ୍ବ ନାହିଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe