ହିନ୍ଦୁତ୍ବକୁ ଆଇଏସ୍‌ଆଇଏସ୍‌ ସହ ତୁଳନା କଲେ ସଲମାନ ଖୁର୍ସିଦ

ଅଯୋଧ୍ୟା ଉପରେ ଲିଖିତ ବିବାଦୀୟ ପୁସ୍ତକ ବିରୋଧରେ ମାମଲା ଦାଏର

ହିନ୍ଦୁତ୍ବକୁ ଆଇଏସ୍‌ଆଇଏସ୍‌ ସହ ତୁଳନା କଲେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ଅଯୋଧ୍ୟା ଉପରେ ଲିଖିତ ଏକ ପୁସ୍ତକ ଏବେ ବିବାଦ ଘେରକୁ ଆସିଛି, ଯେଉଁଥିରେ ସେ ହିନ୍ଦୁତ୍ବର ଏକ ସଂସ୍କରଣ ଆଇଏସ୍‌ଆଇଏସ୍‌ ଓ ବୋକୋ ହାରାମ୍‌ ଆତଙ୍କବାଦୀ ସଂଗଠନର ଅନୁରୂପ ବୋଲି ଉଲ୍ଲେଖ କରିଛନ୍ତି। ହିନ୍ଦୁତ୍ବକୁ ବଦନାମ କରିବା ଅଭିଯୋଗରେ ଦିଲ୍ଲୀର ଦୁଇଜଣ ଓକିଲ ବିବେକ ଗର୍ଗ ଓ ବିନୀତ ଜିନ୍ଦଲ ଖୁର୍ସିଦଙ୍କ ବିରୋଧରେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ ଦାଏର କରିଛନ୍ତି। ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଆଧାର କରି ଖୁର୍ସିଦଙ୍କ ଲିଖିତ ପୁସ୍ତକର ନାମ ହେଉଛି ‘ସନ୍‌ରାଇଜ୍ ଓଭର୍ ଅଯୋଧ୍ୟା’ (ଅଯୋଧ୍ୟାରେ ସୂର୍ଯ୍ୟୋଦୟ)। ବୁଧବାର ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ଓ ଦିଗ୍‌ବିଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପୁସ୍ତକର ‘ଦ ସାଫ୍ରନ୍ ସ୍କାଇ’ ଅଧ୍ୟାୟରେ ଖୁର୍ସିଦ ଲେଖିଛନ୍ତି: ଯେଉଁ ସନାତନ ଧର୍ମ ଓ କ୍ଲାସିକାଲ ହିନ୍ଦୁତ୍ବ ମୁନିଋଷିମାନଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା, ତାକୁ ଆଡ଼େଇଦେଇ ତା’ ସ୍ଥାନରେ ଏବେ ଠିଆ ହୋଇଛି ତା’ର ଏକ କଠୋର ଓ ରାଜନୈତିକ ସଂସ୍କରଣ, ଯାହା ଇସଲମାମିକ୍ ଜିହାଦୀ ଗୋଷ୍ଠୀ ଆଇଏସ୍‌ଆଇଏସ୍ ଓ ବୋକୋ ହାରାମ୍‌ର ଅନୁରୂପ।
ଅଭିଯୋଗରେ ବିବେକ ଗର୍ଗ ଲେଖିଛନ୍ତି, ଏହାଦ୍ବାରା କଂଗ୍ରେସର ଅସଲ ଉଦ୍ଦେଶ୍ୟ ପଦାରେ ପଡ଼ିଯାଇଛି। କଂଗ୍ରେସ ଚାହୁଁଛି ହିନ୍ଦୁମାନଙ୍କ ସହ ସମାନ ବୋଲି କହି ଆଇଏସ୍‌ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀକୁ ବୈଧତା ଓ ମାନ୍ୟତା ଦେବା। ସେ ଯେଉଁ ଭାଷା ଓ ଉଦ୍ଦେଶ୍ୟ ବ୍ୟକ୍ତ କରିଛନ୍ତି, ସେଥିରୁ ଜଣାପଡ଼ୁଛି ସେ ଚାହାନ୍ତି ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଶତ୍ରୁତା ବଢ଼ାଇ ଭାରତ ବିରୋଧରେ ପରୋକ୍ଷ ଯୁଦ୍ଧ ପାଇଁ ଷଡ଼୍‌ଯନ୍ତ୍ର ରଚନା କରିବା। ଖୁର୍ସିଦ ଲେଖିଛନ୍ତି ହିନ୍ଦୁତ୍ବ ହେଉଛି ଆଇଏସ୍‌ଆଇଏସ୍‌ ଓ ବୋକୋ ହାରାମ ସହ ସମାନ, ଯେଉଁଗୁଡ଼ିକ ଅସଲରେ ଆତଙ୍କବାଦୀ ସଂଗଠନ। ସମଗ୍ର ହିନ୍ଦୁ ସମାଜ ପ୍ରତି ଏହା ଅପମାନଜନକ। ଏହାଦ୍ବାରା ହିନ୍ଦୁ ସମାଜ ହିଂସ୍ର, ଅମାନବୀୟ ଓ ଅତ୍ୟାଚାରୀ ବୋଲି ଖୁର୍ସିଦ କହିବାକୁ ଚାହିଁଛନ୍ତି ବୋଲି ଜିନ୍ଦଲ ଅଭିଯୋଗ କରିଛନ୍ତି। ଅପରପକ୍ଷେ ପୁସ୍ତକ ଉନ୍ମୋଚନ ଉତ୍ସବରେ ଭାଷଣ ଦେଇ ଦିଗ୍‌ବିଜୟ ସିଂହ କହିଲେ ଯେ ହିନ୍ଦୁତ୍ବ ଓ ହିନ୍ଦୁଧର୍ମ ସମାର୍ଥକ ହେବା ଦୁର୍ଭାଗ୍ୟଜନକ। ସାବରକର ଧାର୍ମିକ ନ ଥିଲେ। ଏପରି କି ଗାଈକୁ କାହିଁକି ମାତା କୁହାଯିବ ବୋଲି ସେ ପ୍ରଶ୍ନ କରିଥିଲେ। ଗୋମାଂସ ଖାଇବାରେ ବି ତାଙ୍କର ଆପତ୍ତି ନ ଥିଲା। ହିନ୍ଦୁ ପରିଚୟ ନିମନ୍ତେ ସେ ହିନ୍ଦୁତ୍ବ ଶବ୍ଦର ପ୍ରଚଳନ କରିଥିଲେ ଯାହା ଲୋକଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା।

ହିନ୍ଦୁତ୍ବ ବିବୃତି ଉପରେ ବିବାଦ ଉଠିବାରୁ ଏହାର ଉତ୍ତର ଦେଇ ଖୁର୍ସିଦ କହିଛନ୍ତି ଯେ ପୁସ୍ତକରେ ସେ ହିନ୍ଦୁଧର୍ମ ତଥା ସନାତନ ଧର୍ମର ପ୍ରଶଂସା କରିଛନ୍ତି। ହିନ୍ଦୁତ୍ବ ହିନ୍ଦୁଧର୍ମଠାରୁ ଅଲଗା ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଜାଣିଶୁଣି ବିବାଦ ସୃଷ୍ଟି କରିବା ପାଇଁ ଖୁର୍ସିଦ ଏ ବହି ପ୍ରକାଶ କରିଛନ୍ତି। ସେମାନେ ତୁଷ୍ଟୀକରଣ ରାଜନୀତିର ସମର୍ଥକ। ଗାନ୍ଧି ପରିବାର ଓ କଂଗ୍ରେସ ନେତାମାନେ ‘ଟୁକ୍‌ଡ଼େ-ଟୁକ୍‌ଡ଼େ’ ଗ୍ୟାଙ୍ଗ୍‌ର ସପକ୍ଷବାଦୀ। ସେମାନେ ଚାହାନ୍ତି ଜାତିକୁ ନେଇ ଦେଶ ଭାଗ ଭାଗ ହୋଇଯାଉ। ଶିବସେନା ନେତ୍ରୀ ଏବଂ ପୂର୍ବତନ କଂଗ୍ରେସ ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ପୁସ୍ତକର ନିନ୍ଦା କରି କହିଛନ୍ତି ହିନ୍ଦୁଧର୍ମକୁ ଆତଙ୍କବାଦୀ ସଂଗଠନ ସହ ତୁଳନା କରିବା ଅଜ୍ଞତାର ପରିଚାୟକ। କାରଣ ହିନ୍ଦୁଧର୍ମ ସବୁବେଳେ କହିଆସିଛି: ବସୁଧୈବ କୁଟୁମ୍ବକମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe