Image Courtesy of The Guardian
ସାନ୍ଫ୍ରାନ୍ସିସ୍କୋ: କୌଣସି ଘଟଣାର ମୁକାବିଲା କରିବା ସମୟରେ ସନ୍ଦିଗ୍ଧଙ୍କୁ ହତ୍ୟା କରିବା ପାଇଁ ସାମର୍ଥ୍ୟ ଥିବା ଶକ୍ତିଶାଳୀ ରୋବୋଟ୍ ବ୍ୟବହାର କରିବା ଲାଗି ଆମେରିକାର ‘ସାନ୍ ଫ୍ରାନ୍ସିସ୍କୋ ପୋଲିସ୍ ଡିପାର୍ଟମେଣ୍ଟ୍’ ଏକ ଚିଠା ପ୍ରସ୍ତାବ ଆଗତ କରିଥିବା କଥା ‘ଦି ଗାର୍ଡିଆନ୍’ ରିପୋର୍ଟ କରିଛି।
‘ସାନ୍ ଫ୍ରାନ୍ସିସ୍କୋ ପୋଲିସ୍ ଡିପାର୍ଟମେଣ୍ଟ୍’ (ଏସ୍ଏଫ୍ପିଡି) ସଂଗ୍ରହ କରିଥିବା ୧୭ଟି ରୋବୋଟ୍କୁ କିଭଳି ବ୍ୟବହାର କରିବ ତା’ର ଏକ ମୋଟାମୋଟି ଧାରଣା ମଧ୍ୟ ଉକ୍ତ ଚିଠା ପ୍ରସ୍ତାବରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ‘ଏସ୍ଏଫ୍ପିଡି’ ସଂଗ୍ରହ କରିଥିବା ରୋବୋଟ୍ଗୁଡ଼ିକ ମଧ୍ୟରୁ ୧୨ଟି କାର୍ଯ୍ୟକ୍ଷମ ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ରୋବୋଟ୍ଗୁଡ଼ିକ ସାଧାରଣତଃ ଖାନତଲାସ ଓ ବୋମା ନିଷ୍କ୍ରିୟ କାର୍ଯ୍ୟରେ ବ୍ୟବହାର କରାଯାଏ। କିନ୍ତୁ, ରୋବୋଟ୍କୁ ଅପରାଧି ଧରିବା, ଜଟିଳ ଘଟଣା, ଜରୁରୀ ତଲାସି, ୱାରେଣ୍ଟ୍ କାର୍ଯ୍ୟକାରୀ କରିବା ଏବଂ ସନ୍ଦିଗ୍ଧ ଉପକରଣ ତଦନ୍ତ କରିବା କ୍ଷେତ୍ରରେ ‘ଏସ୍ଏଫ୍ପିଡି’ ଉପଯୋଗ କରିବା ପାଇଁ ଆଗ୍ରହୀ ବୋଲି ଆମେରିକୀୟ ଗଣମାଧ୍ୟମ ରିପୋର୍ଟରେ ଉଲ୍ଳେଖ ଅଛି।
Image Courtesy of Daily Mailଆସନ୍ନ ବିପଦ ମୁକାବିଲା ପାଇଁ ଅନ୍ୟ ବିକଳ୍ପ ନ ମିଳିବା ସମୟରେ ଏହି ମାରାତ୍ମକ ରୋବୋର୍ଟର ବ୍ୟବହାର ଅପରିହାର୍ଯ୍ୟ ବୋଲି ‘ଏସ୍ଏଫ୍ପିଡି’ କହିଛି।
ଏହାଛଡ଼ା, ବିପଜ୍ଜନକ ପରିସ୍ଥିତିରେ କୌଣସି ସାଧାରଣ ଜନତା ଅଥବା ପୁଲିସ ଅଧିକାରୀଙ୍କ ଜୀବନ ବିପନ୍ନ ହେବାର ଆଶଙ୍କା ଦେଖା ଦେଲେ ଏବଂ ‘ଏସ୍ଏଫ୍ପିଡି’କୁ ଟପିଯିବା ଭଳି ଶକ୍ତି ବାହାରିଲେ ସନ୍ଦିଗ୍ଧଙ୍କୁ ହତ୍ୟା କରିବା ପାଇଁ ଉକ୍ତ ରୋବୋଟ୍କୁ ଅନୁମତି ଦିଆଯିବ ବୋଲି ‘ଏସ୍ଏଫ୍ପିଡି’ କହିଥିବା କଥା ‘ଦି ଗାର୍ଡିଆନ୍’ ରିପୋର୍ଟ କରିଛି।
ରୋବୋଟ୍କୁ ହତ୍ୟା କରିବାର ସାମର୍ଥ୍ୟ (ମେସିନ୍ ଗନ୍ ଓ ଗ୍ରେନେଡ୍ ଲଞ୍ଚର୍ କ୍ଷମତା) ଦିଆଗଲେ ସ୍ଥଳବିଶେଷକୁ ଚାହିଁ ସେ ସବୁ ପୁଲିସ ଅଧିକାରୀମାନଙ୍କୁ ସାହାଯ୍ୟ କରିବେ।
‘ଏସ୍ଏଫ୍ପିଡି’ ଉକ୍ତ ଚିଠା ପ୍ରସ୍ତାବକୁ ଗୋଟାଏ କମିଟି ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବୋର୍ଡ ବୈଠକରେ ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।
Follow Us