ସାନେ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଜାପାନର ସଂସଦ ମଙ୍ଗଳବାର ଅତିରକ୍ଷଣଶୀଳ ସାନେ ତାକାଇଚିଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି। ତାଙ୍କ ଦଳ ଏକ ନୂତନ ସହଯୋଗୀ ଦଳ ସହିତ ମେଣ୍ଟ କରିବା....

Untitled-6

ଟୋକିଓ: ଜାପାନର ସଂସଦ ମଙ୍ଗଳବାର ଅତିରକ୍ଷଣଶୀଳ ସାନେ ତାକାଇଚିଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି। ତାଙ୍କ ଦଳ ଏକ ନୂତନ ସହଯୋଗୀ ଦଳ ସହିତ ମେଣ୍ଟ କରିବା ପରେ ଏହା ଘଟିଛି। ଜୁଲାଇରେ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର ନିର୍ବାଚନୀ ପରାଜୟ ପରେ ତିନି ମାସର ରାଜନୈତିକ ଶୂନ୍ୟସ୍ଥାନ ପୂରଣ କରି ଓ ବିବାଦର ଅନ୍ତ ଘଟାଇ ଶିଗେରୁ ଇଶିବାଙ୍କ ସ୍ଥାନ ନେଇଛନ୍ତି ତାକାଇଚି।

ପ୍ରଧାନମନ୍ତ୍ରୀ ଭାବରେ ମାତ୍ର ଏକ ବର୍ଷ ରହିଥିବା ଇଶିବା ଦିନକ ପୂର୍ବରୁ ତାଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ, ଯାହା ତାଙ୍କ ଉତ୍ତରାଧିକାରୀ ପାଇଁ ବାଟ ଖୋଲିଥିଲା। ଓସାକା ଭିତ୍ତିକ ଦକ୍ଷିଣପନ୍ଥୀ ଜାପାନ ଇନୋଭେସନ୍ ପାର୍ଟି ତଥା ଇଶିନ୍ ନୋ କାଇଙ୍କ ସହ ଏଲଡିପିର ମେଣ୍ଟ ତାକାଇଚିଙ୍କ ପ୍ରଧାନମନ୍ତ୍ରୀ ପଦ ନିଶ୍ଚିତ କରିଥିଲା। କାରଣ ବିରୋଧୀ ଏକଜୁଟ ନୁହନ୍ତି। ତାକାଇଚିଙ୍କ ମେଣ୍ଟର ସଂସଦର ଉଭୟ ଗୃହରେ ଏବେ ବି ସଂଖ୍ୟାଗରିଷ୍ଠତାର ଅଭାବ ରହିଛି। କୌଣସି ଆଇନ ପାରିତ କରିବା ପାଇଁ ଅନ୍ୟ ବିରୋଧୀ ଗୋଷ୍ଠୀର ସମର୍ଥନ ନେବାକୁ ପଡିବ। ଏହା ଏକ ବିପଦ ଯାହା ତାଙ୍କ ସରକାରକୁ ଅସ୍ଥିର ଓ ସ୍ୱଳ୍ପକାଳସ୍ଥାୟୀ କରିପାରେ।

ଜେଆଇପି ନେତା ତଥା ଓସାକା ଗଭର୍ଣ୍ଣର ହିରୋଫୁମି ୟୋଶିମୁରାଙ୍କ ସହ ସୋମବାର ସ୍ୱାକ୍ଷର ସମାରୋହରେ ତାକାଇଚି କହିଛନ୍ତି, ରାଜନୈତିକ ସ୍ଥିରତା ବର୍ତ୍ତମାନ ଜରୁରୀ। ସ୍ଥିରତା ବିନା ଆମେ ଏକ ଶକ୍ତିଶାଳୀ ଅର୍ଥନୀତି କିମ୍ବା କୂଟନୀତି ପାଇଁ ପଦକ୍ଷେପ ନେଇପାରିବୁ ନାହିଁ। ଜାତୀୟତାବାଦୀ ଦୃଷ୍ଟିକୋଣକୁ ଦର୍ଶାଇବା ପାଇଁ ନୀତି ଉପରେ ଦୁଇ ଦଳ ଏକ ମିଳିତ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାକାଇଚିଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ-ଜାପାନ ସମ୍ପର୍କକୁ ମଜବୁତ କରିବା ପାଇଁ ତାଙ୍କ ସହ କାମ କରିବାକୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି।

ଦିନକ ପରେ, ୬୪ ବର୍ଷୀୟ ତାକାଇଚି ଏଲ୍‌ଡିପିର ସବୁଠାରୁ ଶକ୍ତିଶାଳୀ କିଙ୍ଗ୍‌ମେକର ତାରୋ ଆସୋ ଓ ଅନ୍ୟ ସହଯୋଗୀଙ୍କ ସହ ଏକ କ୍ୟାବିନେଟ୍ ଗଠନ କରିବେ, ଯେଉଁମାନେ ଦଳର ନେତୃତ୍ୱ ଭୋଟ୍‌ରେ ତାଙ୍କୁ ସମର୍ଥନ କରିଥିଲେ। ତାକାଇଚି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ଲିଙ୍ଗ ସମାନତା ପାଇଁ କିଛି ପ୍ରତିଶ୍ରୁତି ଦେଇ ନାହାନ୍ତି। ସେ ରାଜକୀୟ ପରିବାରର କେବଳ ପୁରୁଷ ଉତ୍ତରାଧିକାରୀଙ୍କୁ ସମର୍ଥନ କରନ୍ତି, ସମଲିଙ୍ଗୀ ବିବାହକୁ ବିରୋଧ କରନ୍ତି ଏବଂ ବିବାହିତ ଦମ୍ପତିଙ୍କ ପାଇଁ ପୃଥକ୍ ଉପନାମକୁ ଅନୁମତି ଦିଅନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଜଣେ ସମର୍ଥକ ତାକାଇଚି ତାଙ୍କ ନୀତିକୁ ଅନୁକରଣ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe