Image Courtesy: Free Press Journal
ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତ ପାତ୍ର ଚାଳ ପୁନର୍ବିକାଶ ପ୍ରକଳ୍ପ ସହ ଜଡ଼ିତ ୧୦୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରକାଶ କରିଛି। ଏଜେନ୍ସି ଦାବି କରିଛି ଯେ ରାଉତ ଓ ତାଙ୍କ ପରିବାର ୧ କୋଟି ୬ ଲକ୍ଷ ଟଙ୍କା ଲାଞ୍ଚ (କିକ୍ବ୍ୟାକ୍) ନେଇଛନ୍ତି, ଯାହା ୮୩ ଲକ୍ଷ ବୋଲି ପୂର୍ବରୁ କୁହାଯାଇଥିଲା। ଅଲିବାଗ ଜମି କାରବାରର ଜଣେ ପ୍ରମୁଖ ସାକ୍ଷୀକୁ କଥା ପ୍ରଘଟ କଲେ ଦୁଷ୍କର୍ମ ସହ ହତ୍ୟା କରିବାକୁ ମଧ୍ୟ ରାଉତ ଧମକ ଦେଇଥିଲେ ବୋଲି ଇଡି ପ୍ରକାଶ କରିଛି।
ସ୍ବପ୍ନା ପାଟକର ନାମ୍ନୀ ଜଣେ ମହିଳା ଜୁଲାଇ ୨୨ରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ଦୁଷ୍କର୍ମ ଓ ହତ୍ୟା ଧମକ ଏକ କାଗଜରେ ଟାଇପ୍ କରାଯାଇ ଏକ ଖବରକାଗଜ ଭିତରେ ପୂରେଇ ଜୁଲାଇ ୧୫ରେ ତାଙ୍କୁ ଦିଆଯାଇଥିଲା। ତେବେ ରାଉତ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଚାଳ ପୁନର୍ବିକାଶ ପ୍ରକଳ୍ପ ପାଇଁ ୨୦୧୦ରୁ ୨୦୧୪ ଭିତରେ ଟଙ୍କା ଆଦାୟ କରାଯାଇଥିଲା। ସେହି ଟଙ୍କାକୁ ରାକେଶ ୱାଧ୍ବାନ ଓ ସାରଙ୍ଗ ୱାଧ୍ବାନଙ୍କ ଦ୍ବାରା ଉଠାଇ ନିଆଯାଇଥିଲା, ଯାହାଦ୍ବାରା ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଗଲା। ଉକ୍ତ ଉଠାଇ ନିଆଯାଇଥିବା ଟଙ୍କାରୁ ପ୍ରବୀଣ ରାଉତ ୧୧୨ କୋଟି ଟଙ୍କା ତାଙ୍କ ଆକାଉଣ୍ଟରେ ପାଇଥିଲେ। ସେଥିରୁ ସଞ୍ଜୟ ରାଉତ ସିଧାସଳଖ ୧.୦୬ କୋଟି ପାଇଥିଲେ। ଏହି କଳାଟଙ୍କାରେ ସେ ଅଲିବାଗରେ ଏକ ସମ୍ପତ୍ତି କ୍ରୟ କରିଥିଲେ ବୋଲି ଇଡି କୋର୍ଟକୁ ଅବଗତ କରାଇଥିଲା। ପ୍ରବୀଣ ରାଉତ ହେଉଛନ୍ତି ଗୁରୁ ଆଶିଷ କନ୍ଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ର ପୂର୍ବତନ ନିର୍ଦ୍ଦେଶକ ଏବଂ ସଞ୍ଜୟ ରାଉତଙ୍କ ଖାସ୍ ଲୋକ।
୨୦୧୦-୧୧ରେ ପ୍ରବୀଣ ରାଉତ ପ୍ରତି ମାସରେ ସଞ୍ଜୟ ରାଉତଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ଲେଖାଏ ଟ୍ରାନ୍ସଫର କରୁଥିଲେ। ସଞ୍ଜୟ ରାଉତଙ୍କ ବିଦେଶ ଯାତ୍ରା ପାଇଁ ବି ଉକ୍ତ ନିର୍ମାଣ କମ୍ପାନି ପାଣ୍ଠି ଯୋଗାଉଥିଲା।
ଗତ ଏପ୍ରିଲ ମାସରେ ଇଡି ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷା ରାଉତ ଓ ତାଙ୍କର ଆଉ ଦୁଇଜଣ ସହଯୋଗୀଙ୍କର ୧୧.୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିଲା। ଏହି ସମ୍ପତ୍ତି ଭିତରେ ଅଛି ପାଲଘର, ସାଫେଲ ଓ ଥାନେ ଜିଲ୍ଲାର ପାଦଘାଠାରେ ଥିବା ପ୍ରବୀଣ ରାଉତଙ୍କର ଜମି। ବର୍ଷା ରାଉତଙ୍କ ନାମରେ ମୁମ୍ବାଇ ଉପକଣ୍ଠ ଦାଦରଠାରେ ଥିବା ଏକ ଫ୍ଲାଟ୍କୁ ମଧ୍ୟ ଇଡି ଜବତ କରିଥିଲା। ଏହାଛଡ଼ା ବର୍ଷା ରାଉତ ଓ ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକରଙ୍କ ସ୍ତ୍ରୀ ସ୍ବପ୍ନା ପାଟକରଙ୍କ ଯୁଗ୍ମ ନାମରେ ଅଲିବାଗ ସ୍ଥିତ କିହିମ ବିଚ୍ରେ ଥିବା ୮ଟି ପ୍ଲଟ୍ ମଧ୍ୟ ଏହି ଜବତ ସମ୍ପତ୍ତିର ଅନ୍ତର୍ଭୁକ୍ତ।
/sambad/media/post_attachments/wp-content/uploads/2022/08/thaker-687x430.jpg)
ସଂଜୟଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଠାକ୍ରେ
ମୁମ୍ବାଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ସୋମବାର ଦିନ ଶିବସେନା ନେତା ସଂଜୟ ରାଉତଙ୍କ ପରିବାର ସଦସ୍ୟଙ୍କୁ ଭାଣ୍ଡୁପ ସ୍ଥିତ ବାସଭବନରେ ଭେଟିଛନ୍ତି। ମନି ଲଣ୍ଡରିଂ ମାମଲାରେ ଗତକାଲି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିବା ରାଉତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ରାଉତଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପରେ ଠାକରେ କହିଛନ୍ତି, ସଂଜୟ ରାଉତଙ୍କ ଗିରଫ ପଛରେ ପ୍ରତିଶୋଧମୂଳକ ରାଜନୀତି ଅଛି। ଯେଉଁମାନେ ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି ସେମାନଙ୍କ ଚିନ୍ତାଧାରା ହେଉଛି ସେମାନଙ୍କ ବିରୋଧରେ ଯେଉଁମାନେ ପାଟି ଖୋଲିବେ ସେମାନଙ୍କୁ ବାଟରୁ ହଟାଇ ଦେବେ। ରାଉତଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପୁଷ୍ପାରେ ଏକ ଡାଏଲଗ୍ ଅଛି ‘ପୁଷ୍ପା- ଝୁକେଗା ନେହି’। ବାସ୍ତବ ଶିବସେନା ସଂଜୟ ରାଉତ କେବେ ନଇଁବେନି ବୋଲି ଠାକ୍ରେ ଆଜି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପରେ କହିଛନ୍ତି।
Follow Us