ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଜେରା କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Advertisment
ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଜେରା କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Image Courtesy of NDTV

ମୁମ୍ବାଇ: ‘ମନି ଲଣ୍ଡରିଙ୍ଗ୍’ ତଦନ୍ତ ଘଟଣାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜେରା କରିଛି।

ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସଞ୍ଜୟ ରାଉତ ଦକ୍ଷିଣ ମୁମ୍ବାଇସ୍ଥିତ ବାଲାର୍ଡ ଇଷ୍ଟେଟ୍‌ରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟର କାର୍ଯ୍ୟାଳୟରେ ହାଜର ହୋଇଥିଲେ। ରାତି ପ୍ରାୟ ୯.୩୦ରେ ସେଠାରୁ ବାହାରକୁ ଆସିଥିଲେ। ବାହାରକୁ ଆସିବା ପରେ, ରାଉତ କହିଲେ ଯେ, ସେ ତଦନ୍ତକାରୀ ଏଜେନ୍‌ସିକୁ ସହଯୋଗ କରିବେ।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଏଜେନ୍‌ସିର କାମ ହେଲା ତଦନ୍ତ କରିବା। ଆମର କାମ ହେଲା ସେମାନଙ୍କ ତଦନ୍ତରେ ସହଯୋଗ କରିବା। ସେମାନେ ଆଜି ଡାକିଥିବାରୁ ମୁଁ ଆସିଲି। ଏମିତି ମୁଁ ପ୍ରବର୍ତ୍ତନ ନିର୍ଦେଶାଳୟକୁ ସହଯୋଗ କରୁଥିବି।

ପତ୍ରା ଚୱଲ୍‌ରେ ପୁନଃ ବିକାଶ କରାଯାଇଥିବା ହାଉସିଙ୍ଗ୍‌ କଂପ୍ଲେକ୍ସ୍‌ ଦୁର୍ନୀତି ହୋଇଛି ବୋଲି କୁହାଯାଉଥିବା ଘଟଣାର ତଦନ୍ତ ଚାଲିଛି। ଏହି ମାମଲାରେ ଗତ ଏପ୍ରିଲ୍‌ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ପରିବାରର ସମ୍ପତ୍ତିକୁ ଆଟାଚ୍‌ କରିଥିଲା।

publive-image Image Courtesy of The New Indian Express

ବିପୁଳ ସଂଖ୍ୟକ ଶିବସେନା କର୍ମୀ ଘଟଣାସ୍ଥଳରେ ସମବେତ ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। କାର୍ଯ୍ୟାଳୟକୁ ପଡ଼ିଥିବା ରାସ୍ତାରେ ମଧ୍ୟ ବାରିକେଡ୍‌ ଲଗାଯାଇଥିଲା।

ସ୍ମରଣଯୋଗ୍ୟ, ଜେରା ନିମନ୍ତେ ରାଉତ ଜୁନ୍‌ ୨୮ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାର ଥିଲା। କିନ୍ତୁ, ସବୁ ଦଲିତ ପତ୍ର ଯୋଗାଡ଼ କରିବା ନିମନ୍ତେ ପ୍ରାୟ ୨ ସପ୍ତାହ ବିଳମ୍ବ କରିବା ପାଇଁ ତାଙ୍କ ଓକିଲ ଅନୁରୋଧ କରିଥିଲେ। ଏହାପରେ ପ୍ରବର୍ତ୍ତନ ନିର୍ଦେଶାଳୟ ସାନି ସମନ୍‌ ଜାରି କରି ଜୁଲାଇ ୧ ତାରିଖରେ ହାଜର ହେବା ପାଇଁ ସଞ୍ଜୟ ରାଉତଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe