ଜେଲରୁ ମୁକୁଳିବା ପରେ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ପ୍ରଶଂସାରେ ପୋତିଲେ ସଞ୍ଜୟ ରାଉତ

ଜେଲରୁ ମୁକୁଳିବା ପରେ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ପ୍ରଶଂସାରେ ପୋତିଲେ ସଞ୍ଜୟ ରାଉତ

ମୁମ୍ବାଇ: ତିନି ମାସରୁ ଅଧିକ ସମୟ ଜେଲରେ ରହି ମୁକୁଳିବାର ଗୋଟିଏ ଦିନ ପରେ ଟିମ୍‌ ଠାକରେଙ୍କ ଶିବସେନା ନେତା ସଞ୍ଜୟ ରାଉତ ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଗତ ଜୁନ୍‌ ମାସରେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିବା ସେନା ବିଦ୍ରୋହୀ ଏକନାଥ ସିନ୍ଦେଙ୍କ ପଛରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ରହିଛନ୍ତି ବୋଲି କହି ତାଙ୍କର ତୀବ୍ର ସମାଲୋଚନା କରିଥିଲେ ଠାକରେଙ୍କ ଶିବସେନା ନେତା ସଞ୍ଜୟ ରାଉତ।

କିନ୍ତୁ, ଜେଲରୁ ମୁକୁଳିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ ଫଡନାଭିସ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇ କହିଛନ୍ତି, ‘ମହାରାଷ୍ଟ୍ରରେ ଏବେ ଏକ ନୂତନ ସରକାର ଅଛି, ଯାହା କିଛି ଭଲ ନିଷ୍ପତ୍ତି ମଧ୍ୟ ନେଇଛି। କେବଳ ବିରୋଧ କରିବା ପାଇଁ ଆମେ ବିରୋଧ କରୁନାହୁଁ। ଦେବେନ୍ଦ୍ର ଫଡନାଭିସ୍‌ କିଛି ଭଲ ନିଷ୍ପତ୍ତି ନେଇଛନ୍ତି। ଜେଲରେ ଥିବା କାଳରେ ମୁଁ ଯେତେବେଳେ ସମ୍ଭବ ହୋଇଥାଏ ଖବରକାଗଜ ପଢିଥାଏ। ଗରିବଙ୍କ ପାଇଁ ଗୃହ ନିର୍ମାଣ ପରି ନିଷ୍ପତ୍ତି ପ୍ରଶଂସା ଯୋଗ୍ୟ’ ବୋଲି ସେ କମହିଛନ୍ତି।

ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଖୁବ୍‌ଶୀଘ୍ର ଫଡନାଭିସଙ୍କ ସହ କିଛି ସାର୍ବଜନୀନ କାର୍ଯ୍ୟ ବିଷୟରେ ସାକ୍ଷାତ କରିବେ। ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମଧ୍ୟ ସାକ୍ଷାତ କରିବି ଏବଂ ମୋ ସହିତ କ’ଣ ଘଟୁଛି ତାହା କହିବି। ଖବରକାଗଜରୁ ମୁଁ ପଢିଥିଲି, ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି ଯେ ରାଜନୈତିକ ତିକ୍ତତା ହ୍ରାସ କରାଯିବା ଉଚିତ୍‌। ମୁଁ ତାଙ୍କ ବିବୃତ୍ତିକୁ ସ୍ୱାଗତ କରୁଛି’ ବୋଲି ସେ କହିଛନ୍ତି।

୧୦୩ ଦିନ କାଳ ଜେଲରେ ରହିବା ପରେ ଗତକାଲି ଜାମିନ ପାଇ ଜେଲରୁ ମୁକୁଳିବା ପରେ ଆଜି ଶ୍ରୀ ରାଉତ ଉଦ୍ଧବ ଠାକରେଙ୍କ ସହ ତାଙ୍କ ଘରେ ସାକ୍ଷାତ କରିବାକୁ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଉଥିଲେ। ସେ କହିଛନ୍ତି ଯେ ସେ ଟିମ୍‌ ଠାକରେଙ୍କ ସହଯୋଗୀ ଏନସିପିର ମୁଖ୍ୟ ଶରଦ ପାୱାରଙ୍କ ସହ ମଧ୍ୟ ସାକ୍ଷାତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe