ମୁମ୍ବାଇ: ନିକଟରେ କେନ୍ଦ୍ର ସରକାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି-ଏସପି)ର ମୁଖ୍ୟ ଶରଦ ଚନ୍ଦ୍ର ପାୱାରଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶରଦ ପାୱାର ଜେଡ୍ ପ୍ଲସ୍ ସୁରକ୍ଷା ନେବାକୁ ମନା କରିଦେଇଛନ୍ତି। ନିକଟରେ ପାୱାର କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସୁରକ୍ଷା ମଧ୍ୟ ତାଙ୍କ ବିଷୟରେ ସୂଚନା ପାଇବାର ଏକ ମାଧ୍ୟମ ହୋଇପାରେ ।
ସୂଚନା ଅନୁଯାୟୀ ଶରଦ ପାୱାର ମଧ୍ୟ ଘର ଭିତରେ ସୁରକ୍ଷାକର୍ମୀ ମୁତୟନ କୁ ବାରଣ କରିଛନ୍ତି। ସେ ସରକାରୀ ଗାଡିକୁ ମଧ୍ୟ ମନା କରିଦେଇଛନ୍ତି ଏବଂ ନିଜ ଘରୋଇ କାରରେ ସୁରକ୍ଷାକର୍ମୀଙ୍କୁ ରଖିବାକୁ ମଧ୍ୟ ମନା କରିଦେଇଛନ୍ତି । ସିଆରପିଏଫ ଏବଂ ଗୁଇନ୍ଦା ଅଧିକାରୀମାନେ ଶରଦ ପାୱାରଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ସୂଚନା ଅନୁଯାୟୀ, ଶରଦ ପାୱାର ପ୍ରସ୍ତାବ ଦେଇଛନ୍ତି ଯେ ଯଦି ସୁରକ୍ଷା ଯୋଗାଇ ଦେବାକୁ ଚାହୁଁଛି, ତେବେ ଘର ବାହାରେ ସୁରକ୍ଷା ଯୋଗାଇ ଦିଆଯାଉ।
କିଛିଦିନ ତଳେ ଶରଦ ପାୱାରଙ୍କୁ 'ଜେଡ୍ ପ୍ଲସ୍' ସୁରକ୍ଷା ମିଳିବା ପରେ ଏ ନେଇ ତାଙ୍କ ବୟାନ ସାମ୍ନାକୁ ଆସିଛି। ପାୱାର କହିଥିଲେ ଯେ କେନ୍ଦ୍ର ସରକାରଙ୍କଠାରୁ ସୁରକ୍ଷା ପାଇବା ମଧ୍ୟ ତାଙ୍କ ବିଷୟରେ ସୂଚନା ପାଇବାର ଏକ ମାଧ୍ୟମ ହୋଇପାରେ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଶରଦ ପାୱାର ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ନିର୍ବାଚନୀ ରାଲି କରିବା ସହ ଦଳୀୟ ନେତା ଓ କର୍ମୀଙ୍କୁ ଭେଟିଛନ୍ତି।
Follow Us