ଭୁବନେଶ୍ବର: ୨୦୨୧ ବର୍ଷର ମର୍ଯ୍ୟାଦାଜନକ ସରସ୍ବତୀ ସମ୍ମାନ ପାଇବେ ପ୍ରଖ୍ୟାତ ହିନ୍ଦୀ କବି ପ୍ରଫେସର ରାମଦରଶ ମିଶ୍ର। କବିତା ସଙ୍କଳନ ‘ମେଁ ତୋ ୟହାଁ ହୁଁ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ୧୯୨୪ରେ ଉତ୍ତରପ୍ରଦେଶର ଗୋରଖପୁରରେ ତାଙ୍କର ଜନ୍ମ। ତାଙ୍କର କେତେକ ଚର୍ଚ୍ଚିତ ପୁସ୍ତକ ମଧ୍ୟରେ ରହିଛି ‘ବେରଙ୍ଗ ବେନାମ ଚିଠିୟାଁ’, ‘ପକ୍ ଗୟି ହେ ଧୂପ’, ‘କନ୍ଧେ ପର ସୂରଜ’, ‘ଦିନ ଏକ ନଦୀ ବନ ଗୟା’, ‘ଆଗ କୁଛ ନହିଁ ବୋଲତି’ ଏବଂ ‘ଆଗ କୀ ହଁସି’ ଇତ୍ୟାଦି। କବିତା ସହିତ ସେ ବହୁ ଗଳ୍ପ, ଉପନ୍ୟାସ ଏବଂ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି। ଏହା ପୂର୍ବରୁ ସେ ବ୍ୟାସ ସମ୍ମାନ ଏବଂ ସାହିତ୍ୟ ଅକାଦେମି ପୁରସ୍କାର ଆଦି ବହୁ ପୁରସ୍କାର ଲାଭ କରିଛନ୍ତି। ଏଥର ସରସ୍ବତୀ ସମ୍ମାନ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ଅନ୍ୟ ପୁସ୍ତକଗୁଡ଼ିକ ହେଉଛି ନୃସିଂହପ୍ରସାଦ ଭାଦୁଡ଼ିଙ୍କ ବଙ୍ଗଳା ପ୍ରବନ୍ଧ ସଙ୍କଳନ ‘ମହାଭାରତେର ଅଷ୍ଟାଦଶୀ’, ଚୈତନ୍ୟ ପ୍ରସାଦ ମାଝୀଙ୍କ ସାନ୍ତାଳୀ ଗଳ୍ପ ସଙ୍କଳନ ‘କୋଲ୍କାତା ନାପମ୍ କଥା’, ସି.ଏସ୍. ଲକ୍ଷ୍ମୀଙ୍କ ତାମିଲ ଗଳ୍ପ ସଙ୍କଳନ ‘ଅମ୍ବାଇ କାଥାଇଗଲ’ ଏବଂ ରାଧାବଲ୍ଲଭ ତ୍ରିପାଠୀଙ୍କ ସଂସ୍କୃତ କାବ୍ୟ ‘ସୌଭାଗ୍ୟାନୁପୁରମ୍’। କେ. କେ. ବିର୍ଲା ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ଚୟନ କମିଟିର ମୁଖ୍ୟ ଥିଲେ ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ଡକ୍ଟର ସୁଭାଷ ସି. କାଶ୍ୟପ। ପୁରସ୍କାର ସ୍ବରୂପ ପ୍ରଫେସର ମିଶ୍ରଙ୍କୁ ଫଳକ ସହିତ ପନ୍ଦର ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ନିର୍ଦ୍ଦେଶକ ଡକ୍ଟର ସୁରେଶ ଋତୁପର୍ଣ୍ଣା ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us