ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ୍‌: ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନ ଖାରଜ

Advertisment
ବର୍ଷବର୍ଷ ଧରି ମାମଲା ଗଡ଼ୁଛି: କୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

google.com

ନୂଆଦିଲ୍ଲୀ/କଟକ: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ ରହିଛି। ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଅଗଷ୍ଟ ୨ରେ ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ଦାୟର ସମସ୍ତ ମାମଲାକୁ ହାଇକୋର୍ଟ ଅଗ୍ରାହ୍ୟ କରି ପ୍ରଦାନ କରିଥିବା ରାୟ ବିରୋଧରେ ଦାୟର ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ ବାର୍ ଆସୋସିଏସନ ଓ ଅନ୍ୟମାନଙ୍କ ଆବେଦନକୁ ଖାରଜ କରିଛନ୍ତି। ୨୦୨୧ ଜୁନ୍ ୭ରେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ହାଇକୋର୍ଟ ଖାରଜ କରି ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି।

ଆଜି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାରଙ୍କ ପାଖରେ ସ୍ୟାଟ୍ ଉଚ୍ଛେଦ କରିବା ପାଇଁ କ୍ଷମତା ରହିଛି। ୨୦୧୯ ଅଗଷ୍ଟ ୨ର ଯେଉଁ ବିଜ୍ଞପ୍ତି ବଳରେ କେନ୍ଦ୍ର ସରକାର ସ୍ୟାଟ୍ ଉଚ୍ଛେଦ କରିଥିଲେ, ତାହା ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ କରୁ ନାହିଁ। ସ୍ୟାଟ୍‌ରେ ବିଚାରାଧୀନ ମାମଲା ହାଇକୋର୍ଟରେ ଶୁଣାଣି ହେବା ପାଇଁ ବ୍ୟବସ୍ଥା କରାଯାଇଛି। ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟରେ ରୋଜର ମାଥ୍ୟୁସ୍ ମାମଲାର ନିର୍ଦ୍ଦେଶ ପ୍ରସଂଗରେ ଉଲ୍ଲେଖ କରାଯାଇଛି। ରୋଜର ମାଥ୍ୟୁ ମାମଲାର ନିର୍ଦ୍ଦେଶ ଅନୁସାରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଏହି ପ୍ରସଂଗରେ ନ୍ୟାୟିକ ପ୍ରଭାବ ଆକଳନ କରିବ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଗତବର୍ଷ ମାମଲାର ଶୁଣାଣି ଶେଷ କରିଥିଲେ ବି ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ୟାଟ ଉଚ୍ଛେଦ ସଂପର୍କିତ ବିବାଦର ଅନ୍ତ ଘଟିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ  ପ୍ରତିଷ୍ଠା ହୋଇଥିଲା। ଭୁବନେଶ୍ବରର ପ୍ରମୁଖ ବେଞ୍ଚ୍‌ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକ ବେଞ୍ଚ୍‌, ସମ୍ବଲପୁର ଓ ବ୍ରହ୍ମପୁରରେ ସର୍କିଟ ବେଞ୍ଚ୍‌ ପ୍ରତିଷ୍ଠା କରାଯାଇଥିଲା। ସ୍ୟାଟ୍‌ରେ ଅଧୢକ୍ଷଙ୍କ ସମେତ ୮ ଜଣ ବିଚାରପତି ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସ୍ୟାଟ୍ ପ୍ରଦାନ କରୁଥିବା ନିର୍ଦ୍ଦେଶ ବିରୋଧରେ ପକ୍ଷ କେବଳ ସୁପ୍ରମକୋର୍ଟ ଯାଇ ପାରୁଥିଲେ। ତେଣୁ ସ୍ୟାଟ୍‌ଙ୍କ ରାୟ ହାଇକୋର୍ଟଙ୍କ ରାୟ ଭଳି ଗୁରୁତ୍ବ ବହନ କରୁଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମ‌କୋର୍ଟଙ୍କ ଏଲ୍‌. ଚନ୍ଦ୍ରକୁମାର ମାମଲାର ରାୟ ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନିକ ଟ୍ରିବ୍ୟୁନାଲର ରାୟ ହାଇକୋର୍ଟରେ ଚାଲେଞ୍ଜ ହୋଇ ପାରିବ ବୋଲି ସ୍ପଷ୍ଟ ହୋଇଥିଲା। ଏପରି ପରିସ୍ଥିତିରେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶରେ ସନ୍ତୁଷ୍ଟ ହେଉ ନଥିବା ପକ୍ଷ ସିଧାସଳଖ ସୁପ୍ରିମକୋର୍ଟକୁ ନ ଯାଇ ପ୍ରଥମେ ହାଇକୋର୍ଟରେ ଆବେଦନ କରିବା ଆରମ୍ଭ କରିଥିଲେ। ଏଭଳି ସ୍ଥିତିରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ସ୍ୟାଟ୍‌ ଉଚ୍ଛେଦ ପାଇଁ ସରକାର ନେଇଥିବା ନିଷ୍ପତ୍ତି ପଛରେ ଏହି ଟ୍ରିବ୍ୟୁନାଲ  ସ୍ଥାପନର ମୂଳ ଉଦ୍ଦେଶ୍ୟ ସଫଳ ହୋଇ ନାହିଁ ବୋଲି ଦର୍ଶାଇ ବିଭିନ୍ନ ପକ୍ଷ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ସ୍ୟାଟ୍ ଉଚ୍ଛେଦ ବିରୋଧରେ ଦାୟର ସମସ୍ତ ମାମଲାକୁ ଖାରଜ କରିବା ପରେ ଏହା ବିରୋଧରେ ସୁ୍ପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe