ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀ ଜଣେ ମୃତ ବାଳକଙ୍କୁ ଖଟିଆରେ ବୋହିବୋହି ଆଣୁଥିବାର ଏକ ଦୁଃଖଦ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ସୂଚନାଯୋଗ୍ୟ, ଖଟିଆରେ ଶୋଇଥିବା ବାଳକଙ୍କ ମୃତ୍ୟୁ କୂଅରେ ବୁଡ଼ିଯିବା ହେତୁ ହୋଇଥିବା ନେଇ ପରିବାରଲୋକ ସୂତ୍ରରୁ ପ୍ରକାଶ। ତେବେ ପରିବାରଲୋକ ଓ ଗ୍ରାମବାସୀ ବାଳକଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା।
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାଳକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କହିଥିଲା। ଏହାପରେ ପରିବାରଲୋକ ଆମ୍ବୁଲାନ୍ସ ଡାକିବାକୁ କହିଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ।
ତେଣୁ ଗ୍ରାମବାସୀ ଓ ମୃତ ବାଳକଙ୍କ ପରିବାର ଲୋକ ଖଟିଆରେ ପୁଅକୁ ବୋହିବୋହି ଶବ ବ୍ୟବଚ୍ଛେଦ ପାଇଁ ନେବାକୁ ସ୍ଥିର କରିଥିଲେ। ଶେଷରେ ମୃତବାଳକଙ୍କୁ ଖଟିଆରେ ବୋହିବୋହି ଅନେକ ବାଟ ଚାଲିବା ପରେ ଆମ୍ବୂଲାନ୍ସ ନିକଟରେ ପହଞ୍ଚିଥିଲେ ଗ୍ରାମବାସୀ ଓ ପରିବାରଲୋକ।
ଏହି ଦୃଶ୍ୟ କେବଳ ଗାଁ ଲୋକଙ୍କ ଅସହାୟତାକୁ ଦର୍ଶାଉ ନାହିଁ, ବରଂ ବ୍ୟବସ୍ଥାର ଗୁରୁତର ବିଫଳତାର ପ୍ରମାଣ ଦେଉଛି।ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଏପରି ଘଟଣା ସାମ୍ନାକୁ ଆସୁଛି। କେତେବେଳେ ପ୍ରସବ ଯନ୍ତ୍ରଣାରେ ପୀଡିତ ମହିଳାଙ୍କୁ ଖଟିଆରେ ବୁହାଗଲାଣି ତ ଆଉ କେତେବେଳେ ରୋଗୀଙ୍କୁ।
Follow Us