ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସତ୍ୟେନ୍ଦ୍ର ପ୍ରକାଶ ସୋମବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚ୍ର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।
ଶ୍ରୀ ପ୍ରକାଶଙ୍କର କେନ୍ଦ୍ର ସରକାରଙ୍କ ଜନସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି। ସେ ବିଭିନ୍ନ ଜାତୀୟ ତଥା ୟୁନେସ୍କୋ, ୟୁନିସେଫ୍, ୟୁଏନ୍ଡିପି ଇତ୍ୟାଦି ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟର୍ନେଟ୍ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫ୍ଏମ୍ ରେଡିଓ ନୀତି, ଡିଜିଟାଲ୍ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୨୦୨୧ ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଥମ ‘ଭୋକାଲ ଫର ଲୋକାଲ’ ପ୍ରଜ୍ଞାପନ ମଣ୍ଡପ ନିର୍ମାଣରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।
ଶ୍ରୀ ପ୍ରକାଶ ମଧ୍ୟ ଭାରତ ସରକାରଙ୍କର ଅନେକ ପ୍ରମୁଖ ଜନସୂଚନା ଅଭିଯାନର ପରିପାଟୀ ପ୍ରସ୍ତୁତି ସହ କାର୍ଯ୍ୟାନ୍ୱୟନରେ ମୁଖ୍ୟ ଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇଇସି ଅଭିଯାନ ସଂଯୋଜନା କରିଥିଲେ। ୨୦୨୧-୨୨ରେ ମତଦାତା ସଚେତନତା ଓ ଭୋଟଦାନରେ ଅଂଶଗ୍ରହଣ ବୃଦ୍ଧି ପାଇଁ ତାଙ୍କୁ ନିକଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ସମ୍ମାନରେ ସମ୍ମାନତ କରାଯାଇଛି।
କାର୍ଯ୍ୟଭାର ଗ୍ରହଣ କରିବାପରେ ପିଆଇବିର ବରିଷ୍ଠ ଅଧିକାରୀଗଣ ଶ୍ରୀପ୍ରକାଶଙ୍କୁ ସ୍ୱାଗତ ଜଣାଇଥିଲେ।
Follow Us