Image Courtesy of India Today
ନୂଆଦିଲ୍ଲୀ: ସାଉଦି ଆରବର ପ୍ରାୟ ୬୦୦ ମହିଳା ତାଲିମ ପାଇବା ପରେ ସମ୍ପ୍ରତି ଦୁଇଟି ପ୍ରସିଦ୍ଧ ମସ୍ଜିଦ୍ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଥିବା କଥା ‘ଦି ଟ୍ରିବ୍ୟୁନ୍’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ଉପରୋକ୍ତ ଦୁଇ ପବିତ୍ର ମସ୍ଜିଦ୍ ବ୍ୟାପାରର ‘ଜେନେରାଲ୍ ପ୍ରେଜିଡେନ୍ସି’ କହିଛି ଯେ, ଆମ ଏଜେନ୍ସି ବା ସହକାରୀ ଏଜେନ୍ସି ନିମନ୍ତେ ଏପର୍ଯ୍ୟନ୍ତ ୬୦୦ ମହିଳାଙ୍କୁ ତାଲିମ ଦେଇଛୁ।
ମହିଳା ବିକାଶ ବ୍ୟାପାରର ଉପାଧ୍ୟକ୍ଷ ଅଲ୍-ଅନୌଦ୍ ଅଲ୍-ଅବୌଦ୍ଙ୍କ ନେତୃତ୍ବଧୀନ ‘ମହିଳା ବିକାଶ ବ୍ୟାପାର ଏଜେନ୍ସି’ ତାଲିମପ୍ରାପ୍ତ ମହିଳାଙ୍କ ମଧ୍ୟରୁ ୩୧୦ ଜଣଙ୍କୁ ନିଯୁକ୍ତି ଦେଇଛି।
କାମେଲିଆ ଅଲ୍-ଦାଦିଙ୍କ ନେତୃତ୍ବରେ ‘ଏଜେନ୍ସି ଫର୍ ୱିମିନ୍ସ୍ ସାଇଣ୍ଟିଫିକ୍’ ଏବଂ ‘ଇଣ୍ଟେଲେକ୍ଚୁଆଲ୍ ଆଣ୍ଡ୍ ଗାଇଡାନ୍ସ୍ ଆଫେୟାର୍ସ’ରେ ପ୍ରାୟ ୨୦୦ ମହିଳା କାର୍ଯ୍ୟରତ ଥିବା ବେଳେ ବାକି ମହିଳାମାନେ ‘ଏଜେନ୍ସି ଫର୍ ୱିମିନ୍ସ୍ ଆଡ୍ମିନିଷ୍ଟ୍ରେଟିଭ୍ ଆଣ୍ଡ୍ ସର୍ଭିସ୍ ଆଫେୟାର୍ସ’ରେ କାର୍ଯ୍ୟ କରୁଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
Image Courtesy of Trip Advisorଏ ବର୍ଷ ପ୍ରାରମ୍ଭରେ ଇସ୍ଲାମ୍ର ପବିତ୍ରତମ ସ୍ଥଳୀ ମକ୍କା ଓ ମଦିନାରେ ପହରା ଦେବା ଲାଗି ସାଉଦୀ ମହିଳା ସୈନିକ ନିଯୁକ୍ତ ହୋଇଥିଲେ। ପ୍ରଥମ ଥର ପାଇଁ ମକ୍କାର ପ୍ରସିଦ୍ଧ ମସ୍ଜିଦ୍ରେ ସୁରକ୍ଷା ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ସାମରିକ ଖାକି ପୋଷାକ ପରିହିତା ମହିଳାଙ୍କୁ ଦେଖି ବିଶ୍ବବ୍ୟାପୀ ପ୍ରଶଂସାର ସ୍ରୋତ ଛୁଟିଥିଲା।
ଏହା ବ୍ୟତିରେକେ, ମକ୍କାସ୍ଥିତ ପ୍ରସିଦ୍ଧ ମସ୍ଜିଦ୍ ‘ଖାନା-ଏ-କାବା’ରେ ମହିଳା ତୀର୍ଥଯାତ୍ରୀ ଏବଂ ଦର୍ଶନାର୍ଥୀମାନଙ୍କ ସେବା ନିମନ୍ତେ ମଧ୍ୟ ଶହ ଶହ ମହିଳାଙ୍କୁ ନିଯୁକ୍ତ କରାଯାଇଥିଲା।
ଦେଶରେ ‘ଭିଜନ୍ ୨୦୩୦’ ଯୋଜନା ପ୍ରବର୍ତ୍ତନର ଅଂଶସ୍ବରୂପ ସାଉଦୀ ଯୁବରାଜ ମହମ୍ମଦ୍ ବିନ୍ ସଲ୍ମନ୍ଙ୍କ ନେତୃତ୍ବରେ ମହିଳାମାନଙ୍କ ପାଇଁ ଅନେକ ନୂତନ କ୍ଷେତ୍ର ଉନ୍ମୁକ୍ତ କରାଯାଇଛି।
Follow Us