Image Source: Zee News
ନୂଆଦିଲ୍ଲୀ: ଜନତାଙ୍କ ନିକଟରେ ‘ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ବାର୍ତ୍ତା ପହଞ୍ଚାଇବାକୁ ଆଜି ନିଜର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ପାର୍ଟି ସମଗ୍ର ଦେଶରେ ‘ସିଏଏ’ ବିରୋଧରେ ଫ୍ଲାଗ୍ ମାର୍ଚ ଆରମ୍ଭ କରୁଛି।
ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଦିଲ୍ଲୀସ୍ଥିତ ‘ଏଆଇସିସି’ର ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ କରିବେ।
ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସଚିବ କେ. ସି. ବେଣୁଗୋପାଳ ଗଣମାଧ୍ୟମକୁ କହିଛନ୍ତି: ‘ଏଆଇସିସି’ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରାଯାଇ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ। ନିଜ ନିଜର ରାଜ୍ୟ ରାଜଧାନୀରେ କଂଗ୍ରେସ ପାର୍ଟିର ପତାକା ଉତ୍ତୋଳନ କରିବା ପରେ ପ୍ରଦେଶ କଂଗ୍ରେସର ସଭାପତିମାନେ ଫ୍ଲାଗ୍ ମାର୍ଚ ଆରମ୍ଭ କରିବେ। ସେମାନେ ନିଜ ନିଜର ଭାଷାରେ ସମ୍ବିଧାନର ମୁଖବନ୍ଧ ମଧ୍ୟ ପାଠ କରିବେ।
Image Source: ANIନାଗରିକତା (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା ଜନତାଙ୍କୁ ଦଳର ସମର୍ଥନ ଜଣାଇବାକୁ ଆଜି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଦିନିକିଆ ଆସମ ଗସ୍ତରେ ରହିବେ। ଏହି ଉପଲକ୍ଷେ ଆଜି ‘ଅସ୍ତିତ୍ୱ ରକ୍ଷାର ସମାବେଶ’ ନାମରେ ଆସାମର ଖାନପଡ଼ା ଭେଟରିନାରି ଫିଲ୍ଡ୍ରେ ସର୍ବସାଧାରଣଙ୍କ ନିମନ୍ତେ ସଭା ଆୟୋଜନ କରାଯାଇଛି। ନାଗରିକତା ଆଇନ ବିରୋଧୀ ପ୍ରତିବାଦବେଳେ ପୁଲିସ ଗୁଳିଚୋଟରେ ନିହତ ୧୭ ବର୍ଷିୟ ଢୋଲ ବାଦକ ସାମ୍ ଷ୍ଟାଫୋର୍ଡଙ୍କ ପରିବାରବର୍ଗଙ୍କୁ ରାହୁଳ ଗାନ୍ଧୀ ଭେଟିବେ। କାମରୂପ ଠାରେ ପ୍ରତିବାଦ ବେଳେ ପୁଲିସ ଗୁଳିଚୋଟରେ ନିହତ ଦୀପାଞ୍ଜଳ ଦାସଙ୍କ ପରିବାରକୁ ମଧ୍ୟ ରାହୁଳ ଭେଟିବାକୁ ଯିବେ।
କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ସଭାରେ ଦଳୀୟ କର୍ମୀଙ୍କୁ ଭାଷଣ ଦେବେ।
Follow Us