Times of India
ନୂଆଦିଲ୍ଲୀ : ଦୀର୍ଘ ୨ ମାସରୁ ଊର୍ଦ୍ଧ୍ବ ସମୟ ଧରି ସିଏଏ (ନାଗରିକତା ସଂଶୋଧନ ଆଇନ) ବିରୋଧରେ ଦିଲ୍ଲୀର ଶାହିନ ବାଗ୍ରେ ଚାଲିଥିବା ଆନ୍ଦୋଳନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାପାଇଁ ପ୍ରୟାସ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥି ଆଜି ଦକ୍ଷିଣ ଦିଲ୍ଲୀର ଶାହିନ ବାଗ୍ରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଆଭିମୁଖ୍ୟ ସଂପର୍କରେ ଜଣାଇଥିଲେ। ଶାହିନବାଗ୍ ଆନ୍ଦୋଳନକାରୀ ରାସ୍ତା ଅବରୋଧ ନକରି ଅନ୍ୟ ସ୍ଥାନରେ ଆନ୍ଦୋଳନ କରନ୍ତୁ ବୋଲି ମଧ୍ୟସ୍ଥିମାନେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଲୋକଙ୍କର ଆନ୍ଦୋଳନ କରିବା ଅଧିକାର ଅଛି କିନ୍ତୁ ଏଭଳି ଆନ୍ଦୋଳନ ଅନ୍ୟ କାହାର ଅଧିକାରକୁ ପ୍ରଭାବିତ ନକରିବା ଉଚିତ୍ ବୋଲି ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥି ତଥା ବରିଷ୍ଠ ଆଇନଜୀବୀ ସଂଜୟ ହେଗଡେ ଏବଂ ସାଧନା ରାମଚନ୍ଦ୍ରନ କହିଛନ୍ତି। ଏହି ୨ ଜଣ ମଧ୍ୟସ୍ଥି ଆଜି ଶାହିନବାଗ୍ରେ ଏକ ମଞ୍ଚରୁ ଆନ୍ଦୋଳନକାରୀଙ୍କୁ ଉଦ୍ବୋଧନ ଦେଇଛନ୍ତି ଏବଂ ଏହି ମାମଲାରେ ସୁପ୍ରିମକୋର୍ଟ ଯାହା ଚାହୁଛନ୍ତି ତାହା ଜଣାଇ ଦେଇଛନ୍ତି।
ଶାହିନ ବାଗ ଆନ୍ଦୋଳନକାରୀ ଅନ୍ୟ ନାଗରିକଙ୍କର ଅଧିକାର ପ୍ରତି ସଚେତନ ହୋଇ ସେମାନଙ୍କ ଆନ୍ଦୋଳନପନ୍ଥା ସ୍ଥିର କରିବାକୁ ହେବ ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଦେଇଥିବା କୁହାଯାଇଛି। ସର୍ବସାଧାରଣ ରାସ୍ତାକୁ ଦଖଲ କରିବା ଅଧିକାର ଦିଆଯାଇ ନାହିଁ ବୋଲି ରାମଚନ୍ଦ୍ରନ୍ ଆନ୍ଦୋଳନକାରୀଙ୍କୁ ବୁଝାଇଛନ୍ତି। ସେ କହିଛନ୍ତି- ଆମେ ଏଠାକୁ ଆପଣମାନଙ୍କ କଥା ଶୁଣିବାକୁ ଆସିଛୁ। ଆମେମାନେ ଏକାଠି କିଛି ସମାଧାନର ସୂତ୍ର ପାଇବା ଯାହା କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ପାଇଁ ଉଦାହରଣୀୟ ହେବ ବୋଲି ସେ କହିଥିଲେ। ସେହିପରି ଆଇନଜୀବୀ ସଂଜୟ ହେଗଡ଼େ ଆନ୍ଦୋଳନକାରୀଙ୍କୁ କହିଥିଲେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଏଠାକୁ ଆସିଛନ୍ତି। ସମସ୍ତଙ୍କ ସହଯୋଗରେ ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। । ଉପରୋକ୍ତ ଦୁଇ ଆଇନଜୀବୀ ଆନ୍ଦୋଳନ ସ୍ଥଳ ଛାଡ଼ିବାପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଅନ୍ୟ ଜଣେ ମଧ୍ୟସ୍ଥି ତଥା ପୂର୍ବତନ ସୂଚନା କମିସନର ୱାଜହାତ ହବିବୁଲ୍ଲା ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ କଥା ହୋଇଛନ୍ତି। ତେବେ ମିଳିଥିବା ସୂଚନାନୁଯାୟୀ ଆଜିର ଆଲୋଚନାରେ କୌଣସି ସମାଧାନର ସୂତ୍ର ବାହାରି ପାରିନାହିଁ। ଆସନ୍ତାକାଲି ପୁଣିଥରେ ଏନେଇ କଥାବାର୍ତ୍ତା କରାଯିବ । ଉଲ୍ଲେଖଯୋଗ୍ୟ ଶାହିନ ବାଗ୍ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ ସୁପ୍ରିମକୋର୍ଟ ଗତ ସୋମବାର ଦିନ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ।
Follow Us