ସବରିମାଲା ରାୟର ପୁନର୍ବିଚାର ପାଇଁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ୯ ଜଣିଆ ଖଣ୍ଡପୀଠ

Advertisment
କୋଭିଡ୍-୧୯ ରୋଗୀମାନଙ୍କ ପ୍ରତି ପଶୁଠାରୁ ବି ହୀନ ବ୍ୟବହାର କରାଯାଉଛି, ଆବର୍ଜନା ଗଦାରେ ଶବ ଫିଙ୍ଗାଯାଉଛି: ସୁପ୍ରିମ୍ କୋର୍ଟ

Image Courtesy of HT

ନୂଆଦିଲ୍ଲୀ : କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସବରିମାଲା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାଙ୍କ ପ୍ରବେଶ ସଂପର୍କିତ ରାୟର ପୁନର୍ବିଚାର ଆସନ୍ତା ୧୩ ତାରିଖରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ । ଏଥିପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ୯ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି । ଏହି ଖଣ୍ଡପୀଠରେ ଜଷ୍ଟିସ ଆର. ଭାନୁମତି, ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଏଲ.ନାଗେଶ୍ୱର ରାଓ, ଜଷ୍ଟିସ ମୋହନ ଏସ.ଶାନ୍ତାନାଗୌଦର, ଜଷ୍ଟିସ ଏସ.ଅବଦୁଲ ନାଜିର, ଜଷ୍ଟିସ ଆର. ସୁଭାଷ ରେଡ୍ଡୀ, ଜଷ୍ଟିସ ବି.ଆର.ଗାଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ସଦସ୍ୟ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୨୦୧୮, ସେପ୍ଟେମ୍ବରରେ ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ ୩:୨ ମତରେ ସବରିମାଲା ମନ୍ଦର ମଧ୍ୟକୁ ସବୁ ବୟସର ମହିଳାଙ୍କୁ ପ୍ରବେଶାଧିକାର ପ୍ରଦାନ କରିଥିଲେ। ତେବେ ସାମ୍ବିଧାନିକ ଖଣ୍ଡପୀଠର ଏ ନିଷ୍ପତ୍ତିକୁ ବିରୋଧ କରାଯିବା ସହ ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ଏକ ରିଭ୍ୟୁ ପିଟିସନ ଆଗତ ହୋଇଥିଲା। ହେଲେ, ପ୍ରଦାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ପ୍ରଧାନ ବିଚାରପତି ପଦବୀରେ ଥିବା ଜଷ୍ଟିସ୍ ରଂଜନ ଗୋଗେଇ ତାଙ୍କ ଅବସର ଗ୍ରହଣର ତିନିଦିନ ପୂର୍ବରୁ ଏହି ରିଭ୍ୟୁ ପିଟିସନର ଶୁଣାଣି କରି ଏକ ବର୍ଦ୍ଧିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବାର ଆବଶ୍ୟକତା ରହିଥିବା ଦର୍ଶାଇ ଏହାର ଶୁଣାଣିକୁ ତାଙ୍କ ଉତ୍ତରସୂରୀ ତଥା ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡ଼େଙ୍କ ଉପରେ ଛାଡ଼ିଥିଲେ।

ଗତ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େ ଏହି ରିଭ୍ୟୁ ପିଟିସନର ଶୁଣାଣି ଏକ ସାତ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଠପୀଠରେ ହେବ ବୋଲି କହିଥିଲେ। କିନ୍ତୁ ଆଜି ଏହି ଏହି ରିଭ୍ୟୁ ପିଟିସନର ଶୁଣାଣି ସାତ ଜଣିଆ ନୁହେଁ ବରଂ ସୁପ୍ରିମ୍ କୋର୍ଟର ୯ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ବର୍ଦ୍ଧିତ ସାମ୍ବିଧାନିକ ଖଣ୍ଡପୀଠରେ ଆସନ୍ତା ୧୩ ତାରିଖ ସୋମବାର ଠାରୁ ଆରମ୍ଭ ହେବ ବୋଲି ଦର୍ଶାଇ ଆଜି ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ନୂଆ ନୋଟିସ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe