Image Courtesy of Hindustan Times
ନୂଆଦିଲ୍ଲୀ: କରୋନାଭାଇରସ୍ ଦୃଷ୍ଟିରୁ ନିର୍ବାଚନ ବାତିଲ ହୋଇପାରିବନି କହି ବିହାର ନିର୍ବାଚନ ତାରିଖ ପରିବର୍ତ୍ତନ ନିମନ୍ତେ ଆଗତ ଜନସ୍ବାର୍ଥ ମାମଲାକୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ରାଜ୍ୟ କରୋନାଭାଇରସ୍ ମୁକ୍ତ ହେବା ପରେ ବିହାର ବିଧାନସଭା ନିର୍ବାଚନ କରାଯାଉ ବୋଲି ଏହି ଜନସ୍ବାର୍ଥ ମାମଲାରେ ନିବେଦନ କରାଯାଇଥିଲା।
ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ ଯେ, ଭାରତର ନିର୍ବାଚନ କମିସନ ସବୁ କଥା ବିଚାର କରିବେ।
ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଆର୍ ଏସ୍ ରେଡ୍ଡୀ ଓ ଏମ୍ ଆର୍ ଶାହା। ଖଣ୍ଡପୀଠ କହିଲେ କି, ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରାଯାଇ ନ ଥିବାରୁ ଏହି ପିଟିସନ୍ ଏକ ‘ପ୍ରିମାଚ୍ୟୁଓର୍ ପିଟିସନ୍’।
ଅସ୍ବାଭାବିକ ପରିସ୍ଥିତିରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ‘ଜନ ପ୍ରତିନିଧି ଆଇନ’ରେ ବ୍ୟବସ୍ଥା ରହିଛିଥିବାରୁ କୋଭିଡ୍-୧୯ ମହାମାରୀ ଯୋଗୁଁ ନିର୍ବାଚନ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ କମିସନ୍ଙ୍କୁ ନିର୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଅବିନାଶ ଠାକୁର ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ।
ଖଣ୍ଡପୀଠ କହିଲେ, ନିର୍ବାଚନ ନ କରାଇବାକୁ ଆମେ ଭାରତର ନିର୍ବାଚନ କମିସନ୍ଙ୍କୁ ନ କହିବୁ କିପରି? ନିର୍ବାଚନ ବାତିଲ ନିମନ୍ତେ କୋଭିଡ୍ ଗୋଟାଏ ବୈଧ୍ୟ କାରଣ ହୋଇ ନ ପାରେ।
Follow Us