Image Courtesy of TOI
ନୂଆଦିଲ୍ଲୀ: ଏଥର ସବୁ ଦୁଇଚକିଆ ଯାନର ନିର୍ମାତା ପଛ ସିଟ୍ରେ ବସୁଥିବା ଆରୋହୀମାନଙ୍କ ସୁରକ୍ଷା ପାଇଁ ଶାଢ଼ି ଗାର୍ଡ ଏବଂ ହ୍ୟାଣ୍ଡ୍ ଗ୍ରିପ୍ ତିଆରି କରିବେ।
ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ଏକ ରାୟକୁ କାଏମ୍ ରଖି ସୁପ୍ରିମ୍ କୋର୍ଟ ଏ କଥା କହିଛନ୍ତି। ଏ ଭଳି ସୁରକ୍ଷାତ୍ମକ ଉପକରଣ ନ ଥିବା ଦୁଇଚକିଆ ଗାଡ଼ିକୁ ପଞ୍ଜିକରଣ କରାଯାଇ ପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ୨୦୦୮ରେ ରାୟ ଦେଇଥିଲେ। ୨୦୦୮ ମସିହା ନଭେମ୍ବର ୨୫ ତାରିଖ ଦିନ ହାଇକୋର୍ଟ ଏହି ରାୟ ଦେଇଥିଲେ ମଧ୍ୟ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମ୍ୟାନୁଫାକ୍ଚରର୍ସ ଚାଲେଞ୍ଜ୍ କରିବାରୁ ଗୋଟିଏ ସପ୍ତାହ ପରେ ସୁପ୍ରିମ୍କୋର୍ଟ ଏହାର ଉପରେ ରହିତାଦେଶ ଜାରି କରିଥିଲେ।
ଗତ ସପ୍ତାହରେ ଜଷ୍ଟିସ୍ ଏକେ ଗୋଏଲ୍ ଏବଂ ୟୁ ୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଆବେଦନକୁ ଖାରଜ କରିଥିଲେ। ଖଣ୍ଡପୀଠ କହିଥିଲେ: ଆମେ ଏହି ଆବେଦନରେ କୌଣସି ଉତ୍ତମ କଥା ଦେଖିବାକୁ ପାଉ ନାହୁଁ। ସୁପ୍ରିମ୍ କୋର୍ଟ ଏବକାର ବ୍ୟବସ୍ଥାକୁ କାଏମ୍ ରଖିଛନ୍ତି। ରୁଲ୍ ୧୨୩ ଅଫ୍ ସେଣ୍ଟ୍ରାଲ୍ ମୋଟର୍ ଭେଇକ୍ଲ୍ ରୁଲ୍ସ୍ ଅନୁସାରେ କାରଖାନାରୁ ବାହାରିବା ପୂର୍ବରୁ ଗାଡ଼ି ପଛ ସିଟ୍ରେ ବସି ଯାଉଥିବା ବ୍ୟକ୍ତିମାନଙ୍କ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଆବଶ୍ୟକ ଉପକରଣ ଯୋଗାଇ ଦେବା ବାଧ୍ୟତାମୂଳକ।
୧୯୮୯ ମସିହାର ସେଣ୍ଟ୍ରାଲ୍ ମୋଟୋର ଭେଇକ୍ଲ୍ ରୁଲ୍ସ୍ କହେ: ପଛରେ ବସି ଯାଉଥିବା ଆରୋହୀଙ୍କ ପାଇଁ ଚାଳକଙ୍କ ସିଟ୍ ପଛରେ କିମ୍ବା ପାର୍ଶ୍ୱରେ ହ୍ୟାଣ୍ଡ୍ ଗ୍ରିପ୍ର ବ୍ୟବସ୍ଥା ଏବଂ ପଛ ଚକାର ଅଧା ଆବୃତ କରି ରଖୁଥିବା ସୁରକ୍ଷା ଉପକରଣ ନ ଲଗାଇ ତିଆରି କରାଯାଇ ପାରିବ ନାହିଁ।
ସରକାରୀ ତଥ୍ୟାନୁସାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କର ଏକ ତୃତୀୟାଂଶ ହେଉଛି ଦୁଇଚକିଆ ଯାନ ଆରୋହୀ। ପୁଣି ବର୍ଷ କୁ ବର୍ଷ ଏହା ବଢ଼ି ଚାଲିଛି।
Follow Us