ରଥଯାତ୍ରା କାଳରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲେ ରଥଯାତ୍ରାକୁ ବନ୍ଦ ରଖିପାରିବେ ରାଜ୍ୟ ସରକାର: ସୁପ୍ରିମ୍‌ କୋର୍ଟ

Advertisment
ରଥଯାତ୍ରା କାଳରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲେ ରଥଯାତ୍ରାକୁ ବନ୍ଦ ରଖିପାରିବେ ରାଜ୍ୟ ସରକାର: ସୁପ୍ରିମ୍‌ କୋର୍ଟ

india.com

ନୂଆଦିଲ୍ଲୀ: ରାଜ୍ୟର କେବଳ ମାତ୍ର ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ତାଙ୍କର ପୂର୍ବ ନିର୍ଦ୍ଦେଶନାମାରେ ସଂଶୋଧନ ପୂର୍ବକ ଓଡ଼ିଶା ରାଜ୍ୟ ସରକାରଙ୍କୁ ଆଜି ଅନୁମତି ଦେଇଛନ୍ତି। ଏଥିସହ ରଥଯାତ୍ରା କାଳରେ କୋଭିଡ୍‌-୧୯ ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ସମସ୍ତ ମାର୍ଗଦର୍ଶିକାର ଯେଭଳି କଡ଼ାକଡ଼ି ଭାବେ ପାଳନ କରାଯାଏ ତାହାକୁ ମଧ୍ୟ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

ଆଜିର ଶୁଣାଣି କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େ ସ୍ପଷ୍ଟ କରି ଦେଇଛନ୍ତି ଯେ ରଥଯାତ୍ରା ପାଇଁ ଦେଶର ନାଗରିକମାନଙ୍କର ସ୍ୱାସ୍ଥ୍ୟକୁ ଅଦାଲତ ଅଣଦେଖା କରି ପାରିବେ ନାହିଁ କିମ୍ବା ଏଥିସହ କୌଣସି ପ୍ରକାରର ବୁଝାମଣା ମଧ୍ୟ କରିପାରିବେ ନାହିଁ। ଅଦାଲତଙ୍କ ସମ୍ମୁଖରେ ମୁଖ୍ୟ ହେଉଛି ନାଗରିକମାନଙ୍କର ସ୍ୱାସ୍ଥ୍ୟ। ସେଥିପାଇଁ ରଥଯାତ୍ରା କାଳରେ କୋଭିଡ୍‌-୧୯ ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ସମସ୍ତ ମାର୍ଗଦର୍ଶିକାର ଯେଭଳି କଡ଼ାକଡ଼ି ଭାବେ ପାଳନ କରାଯାଏ ତାହାକୁ ମଧ୍ୟ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

publive-image india.com

ଖଣ୍ଡପୀଠ କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନା ସମିତି ରାଜ୍ୟ ସରକାରଙ୍କ ଅଧୀନରେ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରବେ। ଏଥିସହ, ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ୧୦ରୁ ୧୨ ଦିନ ବ୍ୟାପି ପାଳିତ ହେବାକୁ ଥିବାରୁ ଯଦି ଏହି ସମୟ କାଳ ମଧ୍ୟରେ ପୁରୀରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲା ତେବେ ରାଜ୍ୟ ସରକାର ଚାହିଁଲେ ତତ୍‌କ୍ଷଣାତ୍‌ ରଥଯାତ୍ରାକୁ ବନ୍ଦ ରଖିପାରିବେ ବୋଲି ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ।

ଉଲ୍ଲେଖଯୋଗ୍ୟ, ରଥଯାତ୍ରାକୁ ବନ୍ଦ ରଖିବା ପାଇଁ ଗତ ଜୁନ୍‌ ୧୮ ତାରିଖରେ ସୁପ୍ରିମ୍‌ କୋର୍ଟ ଦେଇଥିବା ନିର୍ଦ୍ଦେଶର ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକାଧିକ ରଭ୍ୟୁ ପିଟିସନ୍‌ର ଶୁଣାଣି ଆଜି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କରିବା ପରେ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe