ଆଚରଣ ବିଧି ପ୍ରସଙ୍ଗରେ ‘ଦାୟିତ୍ୱହୀନ’ ମନ୍ତବ୍ୟ ମହଙ୍ଗା ପଡ଼ିଲା; ନିର୍ବାଚନ କମିଶନଙ୍କୁ ସମନ୍‌ କଲେ ସୁପ୍ରିମ୍‌ କୋର୍ଟ

Advertisment
ଆଚରଣ ବିଧି ପ୍ରସଙ୍ଗରେ ‘ଦାୟିତ୍ୱହୀନ’ ମନ୍ତବ୍ୟ ମହଙ୍ଗା ପଡ଼ିଲା; ନିର୍ବାଚନ କମିଶନଙ୍କୁ ସମନ୍‌ କଲେ ସୁପ୍ରିମ୍‌ କୋର୍ଟ

The Quint

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟରେ ନିର୍ବାଚନ ଆଚରଣ ବିଧି ପ୍ରସଙ୍ଗରେ ‘ଦାୟିତ୍ୱହୀନ’ ମନ୍ତବ୍ୟ ପ୍ରଦାନ କରିବା ଘଟଣା ନିର୍ବାଚନ କମିଶନଙ୍କ ପାଇଁ ଆଜି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ନିର୍ବାଚନ କମିଶନଙ୍କ ଏ ପ୍ରକାରର ଆଚରଣ ପାଇଁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଜି ଖୋଲା କୋର୍ଟରେ ନିର୍ବାଚନ କମିଶନଙ୍କ ଉପରେ ଖୁବ୍‌ ବର୍ଷିବା ସହ ଆସନ୍ତା କାଲି ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ କୋର୍ଟରେ ହାଜର ରହିବା ପାଇଁ ସମନ ଜାରି କରିଛନ୍ତି।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ ନିର୍ବାଚନ ପ୍ରଚାର କାଳରେ ଏକାଧିକ ନିର୍ବାଚନୀ ରାଲିରେ ସଂପ୍ରଦାୟିକ ଉତ୍ତେଜନା ସୃୃଷ୍ଟିକାରୀ ଘୃଣା ଭାଷଣ (ହେଟ୍‌ ସ୍ପିଚ୍‌) ଦେଇ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିଥଲେ ସୁଦ୍ଧା ନିର୍ବାଚନ କମିଶନ ସେମାନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।

publive-image

ଏ ପରିପ୍ରେକ୍ଷୀରେ ସାରଜାରେ ରହୁଥିବା ଜନୈକ ପ୍ରବାସୀ ଭାରତୀୟ ହରପ୍ରୀତ ମନସୁଖାନୀ ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରି, ସଂପ୍ରତି ନିର୍ବାଚନ ପ୍ରଚାର କାଳରେ ନେତାମାନେ ନିର୍ବାଚନୀ ରାଲିରେ ସଂପ୍ରଦାୟିକ ଉତ୍ତେଜନା ସୃୃଷ୍ଟିକାରୀ ଘୃଣା ଭାଷଣ (ହେଟ୍‌ ସ୍ପିଚ୍‌) ଦେଇ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ ସହ ଭାରତୀୟ ସମ୍ବିଧାନର ବିରୁଦ୍ଧାଚରଣ କରୁଥଲେ ସୁଦ୍ଧା ନିର୍ବାଚନ କମିଶନ ସେମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଦର୍ଶାଇ ଏସବୁ ଘଟଣାର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମ୍‌ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାର ଏକ କମିଟି ଗଠନ କରିବାକୁ ଦାବି କରିଥିଲେ।

publive-image

ଏହି ମାମଲାର ଶୁଣାଣି କାଳରେ ଆଜି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କୋର୍ଟରେ ଉପସ୍ଥିତ ଥିବା ନିର୍ବାଚନ କମିଶନଙ୍କ ଓକିଲଙ୍କୁ ପଚାରିଥିଲେ ଯେ ଏ ମାମଲାରେ ନିର୍ବାଚନ କମିଶନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ଏ ପ୍ରଶ୍ନର ଉତ୍ତର ରଖି, ନିର୍ବାଚନ କମିଶନଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ନେତାମାନଙ୍କ ବିରୋଧରେ କୌଣସି ପ୍ରକାରର ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବା ସେମାନଙ୍କୁ ନିର୍ବାଚନ ଲଢ଼ିବାରୁ ଦୂରେଇ ରଖିବାର କ୍ଷମତା ନିର୍ବାଚନ କମିଶନଙ୍କର ନାହିଁ। ଏପରି କ୍ଷେତ୍ରରେ ନିର୍ବାଚନ କମିଶନଙ୍କ କ୍ଷମତା କେବଳ ମାତ୍ର ନୋଟିସ୍‌ ଜାରି କରିବାରେ ସୀମିତ। ଯାହା ନିର୍ବାଚନ କମିଶନ କରି ସାରିଛନ୍ତି। ବିଜେପି ନେତା ଆଦିତ୍ୟନାଥ ଯୋଗୀଙ୍କୁ ନିର୍ବାଚନ କମିଶନ ତିନି ତିନିଥର ତାଗିଦ୍‌ କରି ନୋଟିସ୍‌ ଜାରି କରିଥିଲେ ସୁଦ୍ଧା ସେ ଏଥିରୁ କ୍ଷାନ୍ତ ହେଉ ନାହାନ୍ତି କିମ୍ବା ଦୁଇ ଦୁଇଟି ନୋଟିସ୍‌ ପାଇବା ପରେ ମଧ୍ୟ ବିଏସ୍‌ପି ନେତ୍ରୀ ମୟାବତୀ ଏହାର ଉତ୍ତର ଦେଉ ନାହାନ୍ତି। ନିର୍ବାଚନ କମିଶନଙ୍କ ଓକିଲଙ୍କ ଠାରୁ ଏପ୍ରକାର ଉତ୍ତର ଶୁଣିବା ପରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଆସନ୍ତା କାଲି ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ କୋର୍ଟରେ ହାଜର ରହିବା ପାଇଁ ସମନ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe