Image Courtesy: The Quint
ନୂଆଦିଲ୍ଲୀ/ ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ‘ଫ୍ଲୋରଟେଷ୍ଟ’ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେବାପରେ ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇ ସଂପ୍ରତି ଜେଲରେ ବନ୍ଦୀ ଥିବା ଏନସିପି ନେତା ନବାବ ମଲିକ ଏବଂ ଅନିଲ ଦେଶମୁଖ ଆସନ୍ତାକାଲି ମହାରାଷ୍ଟ୍ରରେ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଯୋଗଦେବାକୁ ଅନୁମତି ମାଗି ସୁପ୍ରିମ କୋର୍ଟରେ ଏକ ଆବେଦନ ଆଗତ କରିଛନ୍ତି। ଆଜି ଅପରାହ୍ନରେ ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ତେବେ, ଉଲ୍ଲେଖଯୋଗ୍ୟ ରାଜ୍ୟସଭା ନିର୍ବାଚନରେ ଭୋଟଦେବା ପାଇଁ ଏହି ଦୁଇ ନେତାଙ୍କୁ ଜାମିନ ଦେବାକୁ ପୂର୍ବରୁ ସୁପ୍ରିମ୍ କୋର୍ଟ ମନା କରି ଦେଇଥିଲେ।
ତେବେ, ମହାରାଷ୍ଟ୍ର ବିଧାନ ଭବନ ଜୁନ୍ ୩୦ରେ ନିର୍ଦ୍ଧାରିତ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ବିଜ୍ଞପ୍ତି ଜାରି କରିଛି ଏବଂ ଏହାର ସମସ୍ତ ସଦସ୍ୟଙ୍କୁ ଏହି ଅଧିବେଶନ ପାଇଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘଡି (ଏମଭିଏ) ସରକାରଙ୍କୁ ଗୁରୁବାର ଦିନ ବିଧାନସଭାର ଗୃହ ମଧ୍ୟ୍ୟରେ ନିଜ ସଂଖ୍ୟା ଗରିଷ୍ଠତାର ପରୀକ୍ଷା ଦେବାକୁ କହିଛନ୍ତି। ତେବେ ଶିବସେନା ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଯାହାର ଶୁଣାଣି ମଧ୍ୟ ଆଜି ଅପରାହ୍ନରେ ହେବାକୁ ଧାର୍ଯ୍ୟ ହୋଇଛି।
Follow Us