Image Courtesy of National Herald
ନୂଆଦିଲ୍ଳୀ: ଅର୍ଥ ହେର୍ଫେର୍ ମାମଲାରେ ଇଡିର ତଦନ୍ତ, ଗିରଫ ଓ ସଂପତ୍ତି ସଂଲଗ୍ନ କରିବାର କ୍ଷମତାକୁ ବଜାୟ ରଖିଛନ୍ତି ସୁପ୍ରିମ୍କୋର୍ଟ। ଇଡିର ଅଧିକାରୀମାନେ ପୁଲିସ୍ ନହୋଇଥିଲେ ବି ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତକୁ ଗିରଫ କରିପାରିବେ ଓ ଗିରଫ ସମୟରେ କାରଣ ପ୍ରକାଶ କରିବାକୁ ସେମାନେ ବାଧ୍ୟ ନୁହନ୍ତି। ସେମାନେ ଅଭିଯୁକ୍ତକୁ ଇସିଆଇଆର୍ କପି ପ୍ରଦାନ କରିବା ବି ଜରୁରୀ ନୁହେଁ ବୋଲି ବୁଧବାର ଏକ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଅଦାଲତ ଆହୁରି ବି କହିଛନ୍ତି ଯେ ପିଏମ୍ଏଲ୍ଏ ଅଧୀନରେ ଅର୍ଥ ହେରଫେର କରିବା ଏକ ସ୍ବତନ୍ତ୍ର ଅପରାଧ। ଇଡି କ୍ଷମତାକୁ ସେ ସମର୍ଥନ ଜଣାଇ କହିଛନ୍ତି ଯେ ଏପରି ଅପରାଧୀମାନଙ୍କୁ ଗିରଫ କରିବା ଇଡିର ମନମାନୀ ନୁହେଁ। ଏହି କ୍ଷମତା ଇଡି ନିକଟରେ ରହିଛି।
ନିର୍ଦ୍ଦିଷ୍ଟ କୌଣସି ଅପରାଧରେ ମାମଲା ରୁଜୁ ନ ହୋଇଥିଲେ ବି ତାହା ଇଡି ତଦନ୍ତରେ ବାଧା ଉପୁଜାଇବ ନାହିଁ। ସିଆର୍ପିସି ଅଧୀନରେ ଇଡି ଅଧିକାରୀମାନେ ପୁଲିସ୍ ନୁହନ୍ତି। ଅଧିକାରୀଙ୍କ ପୂର୍ବରୁ ରେକର୍ଡ କରାଯାଇଥିବା ବିବୃତି ପ୍ରମାଣ ଭାବେ ବୈଧ୍ୟ ବୋଲି ଅଦାଲତ ତାଙ୍କ ଶୁଣାଣି କାଳରେ କହିଛନ୍ତି।
ଏହି ଶୁଣାଣି ପାଇଁ ସୁପ୍ରିମ୍କୋର୍ଟରେ ୩ ଜଣ ବିଚାରପତିଙ୍କୁ ନେଇ ଏକ ବେଞ୍ଚ୍ ଗଠନ ହୋଇଥିଲା। ଆସନ୍ତା ୨୯ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ବିଚାରପତି ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କର୍ ଏହି ବେଞ୍ଚ୍ ନେତୃତ୍ବ ନେଇଥିଲେ। ବେଞ୍ଚ୍ରେ ଥିବା ଅନ୍ୟ ଦୁଇ ବିଚାର ପତି ହେଉଛନ୍ତି ଜଷ୍ଟିସ୍ ସି ଟି ରବିକୁମାର ଏବଂ ଦିନେଶ ମହେଶ୍ବରୀ।
Follow Us