ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ନୋଏଡାରେ ଏକ ଘରୋଇ ସ୍କୁଲ ଭ୍ୟାନ ଚାଳକ ଗାଡ଼ି ଚଲାଉଥିବା ବେଳେ ବ୍ରେନହାମରେଜର ଶିକାର ହୋଇଛନ୍ତି। ଯେଉଁ କାରଣରୁ ଗାଡ଼ି ରାସ୍ତାରେ ଥିବା ଏକ ଡିଭାଇଡରରେ ଯାଇ ପିଟି ହୋଇଥିଲା। ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ରାସ୍ତାରେ ୪ରୁ ୫ଜଣ ଛାତ୍ରଛାତ୍ରୀ ଗାଡ଼ି ଭିତରେ ରହିଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ।
ତେବେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରୁ ସ୍କୁଲ ପିଲାଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଆଉ ଅଚେତ ହୋଇପଡ଼ିଥିବା ଗାଡ଼ି ଚାଳକଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ଡିସେମ୍ବର ୭ ସକାଳେ ଘଟିଥିବା କୁହାଯାଉଛି।
ନୋଏଡା ସେକ୍ଟର ୧୬ଏ ସ୍ଥିତ ଏପିଜେ ସ୍କୁଲ ଭ୍ୟାନରେ ଚାଳକ ଚାରିରୁ ପାଞ୍ଚ ଜଣକ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲେ। ଏହି ସମୟରେ ଚାଳକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଗାଡ଼ି ଭିତରେ ଅଚେତ ହୋଇଯାଇଥିଲେ। ଫଳରେ ସ୍କୁଲ ପିଲା ଭର୍ତ୍ତି ଥିବା ଭ୍ୟାନ ସେକ୍ଟର-୭୧ ନିକଟରେ ଥିବା ସାଇମନ୍ଦିର ସାମ୍ନାରେ ୟୁଟର୍ନ ଡିଭାଇଡର ସହିତ ଧକ୍କା ଖାଇଥିଲା।
ଦୁର୍ଘଟଣା ଘଟିଥିବା ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀମାନେ ଘଟଣାସ୍ଥଳକୁ ଆସି ଗାଡ଼ି ଭିତରୁ ପିଲାଙ୍କୁ ଉଦ୍ଧାର କରି ଚାଳକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଚାଳକଙ୍କ ଚିକିତ୍ସା କରି ବ୍ରେନହାମରେଜ ହୋଇଛି ବୋଲି କହିଥିଲେ। ଚିକିତ୍ସା ପରେ ଚାଳକଙ୍କ ସ୍ବାସ୍ଥ୍ୟରେ ଉନ୍ନତୀ ଆସୁଥିବା କୁହାଯାଉଛି।
Follow Us