ତେଲେଙ୍ଗାନାରେ ଆଜିଠୁ ୩ଦିନ ସ୍କୁଲ କଲେଜ ବନ୍ଦ

Advertisment
ତେଲେଙ୍ଗାନାରେ ଆଜିଠୁ ୩ଦିନ ସ୍କୁଲ କଲେଜ ବନ୍ଦ

Tribune India

ନୂଆଦିଲ୍ଲୀ: ତେଲେଙ୍ଗାନା ରାଜ୍ୟରେ ସମସ୍ତ ସ୍କୁଲ କଲେଜ ସୋମବାରଠାରୁ ୩ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଶ୍ରୀ ରାଓ ତାଙ୍କ ସରକାରୀ ବାସଭବନ ପ୍ରଗତି ଭବନରେ ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବରୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହିତ ଏକ ଭିଡିଓ କନଫରେନ୍ସ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

ସମସ୍ତ ବିଭାଗର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଓ ଯେଭଳି କୌଣସି ଅଘଟଣ ନଘଟିବ ସେଥିପ୍ରତି ସଜାଗ ରହିବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଗତ ତିନି ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଆଗାମୀ ୨/୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଯେଭଳି ଧନ ଜୀବନ ନଷ୍ଟ ନହେବ ସେଥିନେଇ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲ୍ଲା କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରି ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଜଳସେଚନ, ପଞ୍ଚାୟତିରାଜ, ପ୍ରତି ମ୍ୟୁନିସିପାଲିଟି ଏବଂ ଶକ୍ତି ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଆସିଫାବାଦ, ନିର୍ମଲ, ନିଜାମାବାଦ, ପେଡାପାଲ୍ଲୀ, ସିରିସିଲା, ଭୁପାଲପାଲି ଏବଂ ମୁଲୁଗୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଡ୍ରେନ୍, ପୋଖରୀ ଏବଂ ଜଳଭଣ୍ଡାରଗୁଡ଼ିକ ଜଳସ୍ତର ବୃଦ୍ଧି ପାଇଛି।

ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରାସ୍ତାଘାଟଗୁଡିକୁ ତୁରନ୍ତ ମରାମତି କରାଯିବ। ପାଣି ପାଗବିଭାଗ ପକ୍ଷରୁ କୁହାଯାଇଛି ଯେ, ଜୟଶଙ୍କର ଭୁପାଲପାଲି ଜିଲ୍ଲାର କାଲେଶ୍ୱରାମ ୩୫ ସେମି ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଜୋର ହୋଇଛି। ଆଦିଲାବାଦ, କୋମରାମ ଭୀମ, ମାନଚେରିଆଲ, ନିର୍ମଲ, ନିଜାମାବାଦ, ରାଜନା ସିରିସିଲା ଜିଲ୍ଲାରେ ରବିବାର ପୂର୍ବାହ୍ନ ୧୦ଟାରୁ ବର୍ଷା ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ସାଢ଼େ ୮ଟା ପର୍ଯ୍ୟନ୍ତ ବର୍ଷିବା ସମ୍ଭାବନା ରହିଛି। ଆଦିଲାବାଦ, କୋମାରାମ ଭୀମ, ମାନଚେରିଆଲ, ନିର୍ମଳ ଜିଲ୍ଲାରେ ସୋମବାର ସକାଳ ପ୍ରାୟ ସାଢ଼େ୮ରୁ ମଙ୍ଗଳବାର ସକାଳ ସାଢ଼େ ୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe