Times Now
ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ନିଭାର ଗତସପ୍ତାହରେ ତାମିଲନାଡୁରେ ସୃଷ୍ଟି କରିଥିବା କ୍ଷତ ଓ କ୍ଷତି ଭରଣା ନ ହେଉଣୁ, ଚଳିତ ସପ୍ତାହରେ ଆଉ ଗୋଟିଏ ସାମୁଦ୍ରିକ ବାତ୍ୟା ଭୟ ସୃଷ୍ଟି କଲାଣି ତାମିଲନାଡୁ ଉପକୂଳରେ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଦ୍ୱିତୀୟ ସାମୁଦ୍ରିକ ବାତ୍ୟାଟି ଆସନ୍ତା ଡିସେମ୍ବର ୪ରେ ତାମିଲନାଡୁ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଜି (ମଙ୍ଗଳବାର) ଅପରାହ୍ନରେ କହିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)। ଏହାର ପ୍ରଭାବରେ ଡିସେମ୍ବର ୪ରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ସତର୍କ କରାଇଦେଇଛି।
ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସାଇକ୍ଲୋନ ଚେତାବନୀ ବିଭାଗ କହିଛି ଯେ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଡିସେମ୍ବର ୪ରେ ତାମିଲନାଡୁରେ ଏକ ଘୂର୍ଣ୍ଣିବଳୟ ବା ସାମୁଦ୍ରିକ ବାତ୍ୟା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ଗଭୀର ଅବପାତ ରୂପରେ ମଙ୍ଗଳବାର ବିଳମ୍ବିତ ରାତିରେ ଆହୁରି ତୀବ୍ର ଓ ଘନୀଭୂତ ହୋଇ ଡିସେମ୍ବର ୨ ତାରିଖ ସନ୍ଧ୍ୟା କିମ୍ବା ରାତିରେ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟଟି ଏବେ ଘଣ୍ଟା ପ୍ରତି ୭୫-୮୫କିଲୋମିଟର ବେଗରେ ଏବଂ ସ୍ଥଳ ବିଶେଷରେ ୯୫ କିଲୋମିଟର ବେଗରେ ଗତି କରୁଛି ବୋଲି ଆଇଏମଡିର ସାଇକ୍ଲୋନ ଚେତାବନୀ ବିଭାଗ କହିଛି।
ଏହା ପରେ ଏହା ପ୍ରାୟ ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଡିସେମ୍ବର ୩ ପୂର୍ବାହ୍ନରେ ମାନ୍ନାର ଗଲ୍ଫ ଏବଂ କୋମୋରିନ୍ ଅଞ୍ଚଳରେ ଅବସ୍ଥିତ ରହିବା ପରେ ପୁନର୍ବାର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ ଏବଂ ଡିସେମ୍ବର ୪ ତାରିଖ ସକାଳେ କନ୍ୟାକୁମାରୀ ଏବଂ ପମ୍ବାନ ମଧ୍ୟରେ ଦକ୍ଷିଣ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ବୋଲି ଏଥିରେ କୁହାଯାଇଛି। ଏହାର ପ୍ରଭାବରେ ତାମିଲନାଡୁ ଏବଂ କେରଳ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Follow Us