Image Courtesy of Hindustan Times
ନୂଆଦିଲ୍ଲୀ: ଇଂଲଣ୍ଡରେ ଆରମ୍ଭ ହୋଇଥିବା ସଦ୍ୟ ‘ଗୁପ୍ତ’ ଆଇନଗତ ପ୍ରକ୍ରିୟା ଯୋଗୁଁ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବାରେ ପୁଣି ବିଳମ୍ବ ହେଉଛି ବୋଲି ସୋମବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ ତାରିଖରେ ହେବ।
ଶୀର୍ଷ ଅଦାଲତଙ୍କୁ କେନ୍ଦ୍ର ସରକାର କହିଲେ ଯେ, ଇଂଲଣ୍ଡ୍ର ସର୍ବୋଚ୍ଚ ଅଦାଲତ ମାଲ୍ୟାଙ୍କ ଆବେଦନ ଖାରଜ କରିବା ପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ସଦ୍ୟ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ତାହା ଠିକ୍ କେଉଁ ପ୍ରକାରର ନ୍ୟାୟିକ ପ୍ରକ୍ରିୟା, ଭାରତ ସରକାର ଜାଣି ନାହାନ୍ତି।
କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ଆଡ୍ଭୋକେଟ୍ ରଜତ ନୈୟାର ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ କହିଲେ, ପ୍ରତ୍ୟର୍ପଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଅନ୍ୟ ଏକ ଗୁପ୍ତ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ଆମ୍ଭଙ୍କୁ ସେ ସମ୍ପର୍କରେ ସୂଚନା ଦିଆ ଯାଇନାହିଁ। ଆମ୍ଭେ ଉକ୍ତ ଆଇନଗତ ପ୍ରକ୍ରିୟାର ପକ୍ଷ ନୋହୁଁ। ନୂଆ ଆଇନଗତ ପ୍ରକ୍ରିୟା କାରଣରୁ ପ୍ରତ୍ୟର୍ପଣ ଆଦେଶକୁ କାଏମ ରଖିଥିବା ଇଂଲଣ୍ଡ୍ର ସର୍ବୋଚ୍ଚ ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇ ପାରୁନାହିଁ।
Image Courtesy of Mintଏହାପରେ, ଅଦାଲତ ମାଲ୍ୟାଙ୍କ ଓକିଲ ଅଙ୍କୁର ସାଇଗଲ୍ଙ୍କୁ ସଦ୍ୟ ଆଇନଗତ ପ୍ରକ୍ରିୟାର ପ୍ରକାରଭେଦ ସମ୍ପର୍କରେ ପଚାରି ଥିଲେ। ସାଇଗଲ୍ କହିଲେ ଯେ, ଏ ସଂକ୍ରାନ୍ତରେ ତାଙ୍କ ମହକିଲଙ୍କ ଠାରୁ ସେ କୌଣସି ନିର୍ଦେଶ ପାଇ ନାହାନ୍ତି। ଖଣ୍ଡପୀଠରେ ଥିବା ଅନ୍ୟତମ ବିଚାରପତି ଅଶୋକ ଭୂଷଣ ସାଇଗଲଙ୍କ ଉତ୍ତରରେ ଆପତ୍ତି କରି କହିଥିଲେ, ତାଙ୍କ ଓକିଲ ହିସାବରେ ଆପଣ ପୂର୍ଣ୍ଣ ସଚେତନ ହେବା ଆବଶ୍ୟକ। ଆପଣ ଜାଣି ନାହାନ୍ତି ବୋଲି କହି ପାରିବେ ନାହିଁ।
ଇଂଲଣ୍ଡ୍ରେ ଚାଲିଥିବା ସଦ୍ୟ ଆଇନଗତ ପ୍ରକ୍ରିୟା ବିଷୟରେ ନଭେମ୍ବର ୨ ତାରିଖ ଦିନ ଉତ୍ତର ଦାଖଲ କରିବା ସହ ତାହା କେବେ ଶେଷ ହେବ ଓ ମାଲ୍ୟା କେବେ ସୁପ୍ରିମ୍ କୋର୍ଟରେ ହାଜର ହେବେ, ତାହା ଜଣାଇବାକୁ ଅଦାଲତ ମାଲ୍ୟାଙ୍କ ଓକିଲଙ୍କୁ ଆଦେଶ ଦେଇଛନ୍ତି।
Follow Us