Image Courtesy of NDTV
ମୁମ୍ବାଇ: ପତ୍ରା ‘ଚଲ୍’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଗତରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିବା କଥା ତାଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି।
ରବିବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍, ୨୦୦୨’ ଅନୁଯାୟୀ ଗିରଫ ହୋଇଥିବା ରାଉତଙ୍କୁ ଆଜି ଅପରାହ୍ଣରେ ‘ପିଏମ୍ଏଲ୍ଏ’ ଅଦାଲତରେ ହାଜର କରାଯିବ।
ସଞ୍ଜୟଙ୍କୁ ଗିରଫ କରାଯିବା ପରେ ତାଙ୍କ ଭାଇ ସୁନୀଲ କହିଛନ୍ତି, ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କୁ ଭୟ କରୁଛି। ସେଥିପାଇଁ ହିଁ ତାଙ୍କୁ ଗିରଫ କରିଛି। ସେମାନେ ପାଇଥିବା ଦଲିଲ ସବୁ ଜାଲ୍। ପତ୍ରା ‘ଚଲ୍’ ମାମଲାରେ ସଞ୍ଜୟ ରାଉତଙ୍କୁ ସଂଶ୍ଳିଷ୍ଟ କରାଯିବାର କୌଣସି କାରଣ ନାହିଁ।
Image Courtesy of India Todayପ୍ରବର୍ତ୍ତନ ନିର୍ଦେଶାଳୟସୂତ୍ରରୁ ପ୍ରକାଶ, ସଞ୍ଜୟ ରାଉତ ତଦନ୍ତକାରୀ ଅଧିକାରୀମାନଙ୍କୁ ସହଯୋଗ କଲେ ନାହିଁ। ସେମାନେ ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯିବା ନିମନ୍ତେ କହିବାରୁ ସେ କହିଲେ ଯେ, ଜଣେ ସାଂସଦ ହୋଇଥିବାରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ତାଙ୍କୁ ସମୟ ଦିଆଯାଉ।
କିନ୍ତୁ, ସଞ୍ଜୟ ରାଉତ ଯେ, ପ୍ରବର୍ତ୍ତନ ନିର୍ଦେଶାଳୟର ତଦନ୍ତରେ ସହଯୋଗ କରି ନ ଥିଲେ, ଏ କଥାକୁ ତାଙ୍କ ଭାଇ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ତଦନ୍ତକାରୀ ଟିମ୍ ଆମ ଘରର କୋଣଅନୁକୋଣ ତନ୍ନ ତନ୍ନ କରି ତଲାସ କରିଛନ୍ତି। ତେଣୁ, ଅସହଯୋଗ ଦୋଷାରୋପ ମିଥ୍ୟା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ ଘନିଷ୍ଠତା ଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Follow Us