କଳାପାଣି ଭୋଗିଥିଲେ ଓଡ଼ିଶାର ୭ ସଂଗ୍ରାମୀ

Advertisment
କଳାପାଣି ଭୋଗିଥିଲେ ଓଡ଼ିଶାର ୭ ସଂଗ୍ରାମୀ

CulturalIndia.net

ନୂଆଦିଲ୍ଲୀ : ସ୍ବାଧୀନତା ଆନ୍ଦୋଳନ ସମୟରେ ଓଡ଼ିଶାର ୭ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ସେଲୁଲାର ଜେଲ୍‌ ଅର୍ଥାତ୍‌ କଳାପାଣିକୁ ପଠାଯାଇଥିଲା। ଏହି ୭ଜଣ ହେଲେ; ସ୍ବର୍ଗତ ହାଟ୍ଟି ସିଂହ, ବ୍ରଜକିଶୋର ସିଂହଦେଓ, ଭାଗବତିଆ ବେହେରା, ମହାଦେବ ପ୍ରଧାନ, କେନ୍ଦୁ ପାନ, ଚରିତ୍ର ନାୟକ ଓ ଅରିତା ମାଝୀ। ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଜରିଆରେ ଏହା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ କେତେଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ସେଲୁଲାର ଜେଲ୍‌କୁ ପଠାଯାଇଥିଲା ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ସରକାରଙ୍କଠାରୁ ତଥ୍ୟ ଲୋଡ଼ିଥିଲେ। ଏକ ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ଦେଶର ବହୁ ସ୍ବାଧୀନତା ସଂଗ୍ରାମୀଙ୍କୁ ଆଣ୍ଡାମାନ ଦ୍ବୀପ ଓ ସେଲୁଲାର୍‌ ଜେଲ୍‌କୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଥିଲେ ୭ଜଣ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିବଂଗତ ସ୍ବାଧୀନତା ସଂଗ୍ରାମୀଙ୍କ ପରିଜନଙ୍କୁ ସ୍ବତନ୍ତ୍ରତା ସୈନିକ ସମ୍ମାନ ଯୋଜନା (ଏସ୍‌ଏସ୍‌ଏସ୍‌ୱାଇ)ରେ ମାସିକ ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥାଏ। ଏହି ଯୋଜନାରେ ପୂର୍ବତନ ଆଣ୍ଡାମାନ ରାଜନୈତିକ ବନ୍ଦୀ / ଜୀବନସାଥୀଙ୍କ ପାଇଁ ପେନ୍‌ସନ୍‌ର ମୂଳରାଶି ମାସିକ ୩୦ ହଜାର ଟଙ୍କା ରହିଥିବାବେଳେ ୨୦୨୧ ମସିହା ଜୁଲାଇ ୧ ତାରିଖରୁ ୩୮,୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିଭଳି ଆଇଏନ୍‌ଏ ସମେତ ଅନ୍ୟ ସ୍ବାଧୀନତା ସଂଗ୍ରାମୀ/ଜୀବନସାଥୀଙ୍କୁ ପ୍ରତ୍ୟେକ ମାସ ୩୩,୫୪୦ ଟଙ୍କାର ପେନ୍‌ସନ୍‌ ରାଶି ପ୍ରଦାନ କରାଯାଉଛି। ଡିପେଣ୍ଡେଣ୍ଟ ପ୍ୟାରେଣ୍ଟ/ସର୍ବାଧିକ ତିନି କନ୍ୟାଙ୍କୁ ମାସିକ ୧୯,୩୫୦ ଟଙ୍କାର ପେନସନ ପ୍ରଦାନ କରାଯାଉଛି। ଏସ୍‌ଏସ୍‌ଏସୱାଇ ଯୋଜନାରେ ବର୍ତ୍ତମାନ ଦେଶରେ ୫୬୨୫ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପେନସନ ମିଳୁଛି , ଯେଉଁଥିରେ ଓଡ଼ିଶାର ୫୪ ଜଣ ସାମିଲ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। କେବଳ ଏସ୍ଏସ୍ଏସ୍ୱାଇ ସନ୍ଦର୍ଭରେ ରେକର୍ଡ ରଖାଯାଉଥିବାରୁ କେତେ ସଂଖ୍ୟକ ସ୍ବାଧୀନତା ସଂଗ୍ରାମୀ ବର୍ତ୍ତମାନ ଜୀବିତ ଅଛନ୍ତି, ସେ ସଂପର୍କରେ ତଥ୍ୟ ଉପଲବ୍ଧ ନଥିବାର ମନ୍ତ୍ରୀ ଉତ୍ତର‌ରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe