ଶ୍ରୀନଗର: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ଏପରି ଅନେକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜାତୀୟ ରାଜପଥ ସମେତ ସ୍ଥାନୀୟଅଞ୍ଚଳ ଥରି ଉଠିଥିଲା। ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହି ବିସ୍ଫୋରଣ ସମୟର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ସୁଗମ ଏବଂ ନିଖୁଣ ଜାତୀୟ ରାଜପଥ ଉପରେ ଅନେକ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳୁଛି। ଏହି ବିସ୍ଫୋରଣ ଦେଖି ଲୋକେ ପ୍ରଶ୍ନ କରିଛନ୍ତି ହଠାତ ଜାତୀୟ ରାଜପଥରେ ଏପରି ବିସ୍ଫୋରଣ ହେବାର କାରଣ କ’ଣ ?
ଏହି ବିସ୍ଫୋରଣର ପ୍ରକୃତ କାରଣ ହେଉଛି, ଅନେକ ଦିନ ହେବ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ୪୪ର ପାର୍ଶ୍ବରେ ବଡ଼ବଡ଼ ପଥର ଖଣ୍ଡ ପଡ଼ିଥିଲା, ଯାହା ଯାତାୟାତ ସମୟରେ ବାଧା ସୃଷ୍ଟି କରୁଥିଲା। ଏହି ପଥରଗୁଡ଼ିକୁ ହଟାଇବା ପାଇଁ ଅନେକ ଦିନ ହେବ ଯୋଜନା କରାଯାଉଥିଲା।
ବଡ଼ବଡ଼ ପଥରଗୁଡ଼ିକୁ ହଟାଇବା କୌଣସି ପକ୍ଷେ ସମ୍ଭବ ନଥିଲା। ତେଣୁ ଉଭୟପାର୍ଶ୍ବରେ କିଛି ଘଣ୍ଟା ପାଇଁ ଯାତାୟାତକୁ ବନ୍ଦ କରି ବିସ୍ଫୋରଣ କରାଯାଇ ପଥକୁ ହଟାଇ ଦିଆଯାଇଥିଲା।ଅଧିକାରୀମାନେ ରାସ୍ତାରୁ ବଡ଼ବଡ଼ ପଥରଗୁଡ଼ିକୁ ହଟାଇବା ପାଇଁ ଏକ ନିୟନ୍ତ୍ରିତ ବିସ୍ଫୋରଣ କରିଥିଲେ। ଯାହାକି ସଫଳ ମଧ୍ୟ ହୋଇଥିଲା।
Follow Us