Times of India
ନୂଆଦିଲ୍ଲୀ: ଉତ୍ତରଭାରତରେ ପ୍ରଚଣ୍ଡ ଗ୍ରୀଷ୍ମଲହରି ଜାରି ରହିଥିବା ବେଳେ ଗତ ତିନିଦିନ ଭିତରେ ଉତ୍ତରପ୍ରଦେଶ ଓ ବିହାରରେ ଶତାଧିକ ଲୋକଙ୍କର ଏହି କାରଣରୁ ମୃତ୍ୟୁ ଘଟିଥିବା କୁହାଯାଉଛି। ପ୍ରବଳ ଗରମ ହେତୁ ଉତ୍ତରପ୍ରଦେଶରେ ୫୪ ଜଣ ଓ ବିହାରରେ ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫୪ ଜଣ ବୃଦ୍ଧଙ୍କର ଜୁନ୍ ୧୫, ୧୬ ଓ ୧୭ରେ ମୃତ୍ୟୁ ଘଟିଥିଲା। ଉତ୍ତାପ ବୃଦ୍ଧି ଯୋଗୁ ରୋଗ ବଢ଼ିବାକୁ ଏଥିପାଇଁ ଦାୟୀ କରାଯାଇଛି। ଗତ ତିନିଦିନ ଭିତରେ ବାଲିଆ ଜିଲ୍ଲା ହସ୍ପିଟାଲରେ ଅନ୍ୟୂନ ୪୦୦ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଜ୍ବର, ଅଣନିଃଶ୍ବାସୀ ଲାଗିବା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅଧିକାଂଶ ରୋଗୀଙ୍କର ବୟସ ୬୦ରୁ ଅଧିକ। ମୁଖ୍ୟ ଚିକିତ୍ସାଧିକାରୀ ଡ ଜୟନ୍ତ କୁମାର କହିଛନ୍ତି ଯେ, ପ୍ରଚଣ୍ଡ ଗ୍ରୀଷ୍ମଲହରି ଯୋଗୁ ଅଧିକ ସଂଖ୍ୟାରେ ରୋଗୀ ଚିକତ୍ସା ପାଇଁ ଡାକ୍ତରଖାନା ଆସୁଛନ୍ତି। ଅଧିକାଂଶ ମୃତ୍ୟୁ ହୃଦ୍ଘାତ, ମସ୍ତିଷ୍କଘାତ ଓ ହଇଜା ଯୋଗୁ ହୋଇଛି ବୋଲି ସେ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ଜୁନ୍ ୧୫ରେ ୨୩, ୧୬ରେ ୨୦ ଓ ୧୭ ଦିନ ୪ଟା ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଅବସ୍ଥା ଅସମ୍ଭାଳ ହେବାରୁ ରଜଧାନୀ ଲକ୍ଷ୍ନୌରୁ ବିଶେଷଜ୍ଞ ଡାକ୍ତର ଦଳଙ୍କୁ ଡକାଯାଇଛି ଏବଂ ମୃତ୍ୟୁର କାରଣ ଉପରେ ଅନୁଧ୍ୟାନ କରାଯାଉଛି ବୋଲି ଡ କୁମାର କହିଛନ୍ତି। ଜିଲ୍ଲା ହସ୍ପିଟାଲର ମୁଖ୍ୟ ମେଡିକାଲ ଅଧୀକ୍ଷକ ଡ ଦିବାକର ସିଂହ କହିଛନ୍ତି ଯେ, ଅଂଶୁଘାତର ଚିକିତ୍ସା ପାଇଁ ହସ୍ପିଟାଲରେ ପଙ୍ଖା, କୁଲର ଓ ଏସିର ବ୍ୟବସ୍ଥା କରାଯାଇଛି। ରୋଗୀ ସଂଖ୍ୟା ବଢ଼ିବାରୁ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ମୃତ୍ୟୁର କାରଣ ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଦୁଇଜଣିଆ ବିଶେଷଜ୍ଞ ଦଳକୁ ବାଲିଆ ପଠାଇଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟ ମେଡିକାଲ ଅଧୀକ୍ଷକ ଡ ଦିବାକର ସିଂହଙ୍କୁ ଦାୟିତ୍ବରେ ଅବହେଳା ଓ ବେପରୁଆ ବୟାନ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି। ଶୁକ୍ରବାର ବାଲିଆରେ ତାପମାତ୍ରା ୪୨.୨ ଡିଗ୍ରି ସେଲସିୟସ୍ ଥିଲା ଯାହା ସ୍ବାଭାବିକଠାରୁ ୪.୭ ଡିଗ୍ରି ଉପରେ। ସେହିପରି ବିହାରରେ ଗ୍ରୀଷ୍ମଲହରି ଯୋଗୁ ଗତ ୨୪ ଘଣ୍ଟାରେ ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ୪ଟି ସ୍ଥାନରେ ଗ୍ରୀଷ୍ମଲହରି ଓ ୧୮ଟି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମଲହରି ଅନୁଭୂତ ହେଉଥିବା ଜଣାପଡ଼ିଛି। ୫୨ ଜଣଙ୍କ ମଧ୍ୟରୁ କେବଳ ପାଟନାରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ୧୯ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ସେହିପରି ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି।
ଶନିବାର ରାଜ୍ୟର ୧୧ଟି ଜିଲ୍ଲାରେ ପାରଦ ୪୪ ଡିଗ୍ରି ଡେଇଁଥିଲା। ରାଜଧାନୀ ପାଟନାରେ ସର୍ବାଧିକ ତାପମାତ୍ରା ୪୪.୭ ଡିଗ୍ରି ରହିଥିଲା। ୪୫.୧ ଡିଗ୍ରି ସେଲସିୟସ ସହ ଶେଖପୁରା ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା। ତାପଲହରିକୁ ଲକ୍ଷ୍ୟ କରି ଜୁନ ୨୪ ପର୍ଯ୍ୟନ୍ତ ପାଟନା ଓ ଅନ୍ୟାନ୍ୟ ଜିଲ୍ଲାରେ ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଛି। ଜୁନ ୧୮ ଓ ୧୯ରେ ମଧ୍ୟ ତାପଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି। ଆସନ୍ତା ୫ ଦିନ ଯାଏ ବିଦର୍ଭ ଓ ଛତିଶଗଡ଼ରେ ଗ୍ରୀଷ୍ମଲହରି ଲାଗିରହିବ। ଓଡ଼ିଶା, ଝାଡ଼ଖଣ୍ଡ, ଉପକୂଳ ଆନ୍ଧ୍ର, ବିହାର, ଗାଙ୍ଗେୟ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ପୂର୍ବ ଉତ୍ତରପ୍ରଦେଶ ପ୍ରଭୃତି ଅଞ୍ଚଳ ପାଇଁ ମଧ୍ୟ ସମାନ ଚେତାବନୀ ଜାରି କରାଯାଇଛି।
Follow Us