ଯୌନ ନିର୍ଯାତନା ଅଭିଯୋଗ: ପୂର୍ବତନ ବିଚାରପତିଙ୍କ ଦ୍ୱାରା ତଦନ୍ତ ପ୍ରସ୍ତାବ ଦେଇଥିଲେଏଜି

Advertisment
ଯୌନ ନିର୍ଯାତନା ଅଭିଯୋଗ: ପୂର୍ବତନ ବିଚାରପତିଙ୍କ ଦ୍ୱାରା ତଦନ୍ତ ପ୍ରସ୍ତାବ ଦେଇଥିଲେଏଜି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ମହିଳା କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ତିନି ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ସୂଚନା ଦେଇଛନ୍ତି।

ଯୌନ ନିର୍ଯାତନା ମାମଲାରେ କୋର୍ଟର ତିନି ଜଣିଆ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗୋଗୋଇଙ୍କୁ କ୍ଲିନ୍‌ଚିଟ୍‌ ଦେବାର ଚାରି ଦିନ ପରେ ଏଜି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ରାଫେଲ୍‌ ଦୁର୍ନୀତି ମାମଲାର ଶୁଣାଣି ପରେ ସେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ଏପ୍ରିଲ ୨୩ରେ ତିନି ଜଣିଆ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ ହେବା ପୂର୍ବରୁ ସେ ଏହି ପ୍ରସ୍ତାବ ପ୍ରଧାନ ବିଚାରପତିଙ୍କୁ ଦେଇଥିଲେ। ବେଣୁଗୋପାଳ କହିଛନ୍ତି, ସେ ଏପ୍ରିଲ ୨୨ରେ ପ୍ରଥମେ ପ୍ରଧାନ ବିଚାରପତିଙ୍କୁ ଏହି ପ୍ରସ୍ତାବ ଦେବା ସହ ଚାରି ଜଣ ବରିଷ୍ଠ ବିଚାରପତିଙ୍କ ନାମ ତାଲିକା ଦାଖଲ କରିଥିଲେ। ତେବେ ଏହା ତାଙ୍କର ବ୍ୟକ୍ତିଗତ ମତ ଥିଲା ବୋଲି ସେ କହିଛନ୍ତି। ଏହା ପରେ ଏପ୍ରିଲ ୨୩ରେ ଦ୍ବିତୀୟ ଥର ପାଇଁ ପୁଣି ପ୍ରଧାନ ବିଚାରପତିଙ୍କୁ ଏହି ସୁପାରିସ କରିଥିଲେ।

ଉଲ୍ଲେଖନୀୟ, ମେ’ ୨ରେ ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ ମାମଲାର ଶୁଣାଣି ‘ଫୁଲ୍‌ କୋର୍ଟ’ ଦ୍ୱାରା ହେଉ ବୋଲି ଏସ୍‌.ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଆଭ୍ୟନ୍ତରୀଣ ତଦନ୍ତ କମିଟିରେ ଦାବି ରଖିଥିଲେ। ଚନ୍ଦ୍ରଚୂଡ କହିଥିଲେ ଅଭିଯୋଗକାରୀଙ୍କ ଆଡଭୋକେଟ୍‌ଙ୍କୁ ଅନୁମତି ନଦେବା ପ୍ରକ୍ରିୟାର ସ୍ବଚ୍ଛତାକୁ କ୍ଷୁର୍ଣ୍ଣ କରୁଛି। ଅଭିଯୋଗକାରୀଙ୍କୁ ଆଡ଼ଭୋକେଟ୍‌ ଯୋଗାଇବା ତାଙ୍କର ଅଧିକାର ବୋଲି କହିବା ସହ ମହିଳାଙ୍କ ମର୍ଯ୍ୟାଦାକୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ମତ ସେ ଦେଇଥିଲେ। ସୂଚନା ଥାଉକି, ଜଷ୍ଟିସ୍‌ ଚନ୍ଦ୍ରଚୂଡ ବୋବ୍‌ଡେଙ୍କୁ ସାକ୍ଷାତ କରି ତଦନ୍ତ କମିଟିରେ ଜଣେ ବାହାରର ସଦସ୍ୟ ନେବାକୁ ଯୁକ୍ତି କରିଥିଲେ। ଏଥି ପାଇଁ ସେ ତିନି ଜଣ ଅବସରପ୍ରାପ୍ତ ମହିଳା ବିଚାରପତି ରୁମା ପାଲ, ସୁଜାତା ମନୋହର ଏବଂ ରଞ୍ଜନା ଦେଶାଇଙ୍କ ନାମକୁ ସୁପରିସ କରିଥିଲେ।

ସୂଚନା ଥାଉକି, ମହିଳା କର୍ମଚାରୀ ଜଣକ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ବୋବ୍‌ଡେଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ। ବୋବ୍‌ଡେ ଅନ୍ୟ ଦୁଇ ଜଣ ଜଷ୍ଟିସ୍‌ ଏନ୍‌.ଭି ରମଣ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ତିନି ଜଣିଆ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଥିଲେ। ଜଷ୍ଟିସ୍‌ ରମଣଙ୍କ ଗୋଗୋଇଙ୍କ ସହ ପାରିବାରିକ ସମ୍ପର୍କ ଅଛି ବୋଲି ମହିଳା ଜଣକ ଅଭିଯୋଗ କରିବା ପରେ ରମଣ ତଦନ୍ତ କମିଟିରୁ ଓହରିଯାଇଥିଲେ। ଏହା ପରେ ରମଣଙ୍କ ସ୍ଥାନରେ ଇନ୍ଦୁ ମାଲ‌େହାତ୍ରାଙ୍କୁ ନିଆଯାଇଥିଲା। ତାଙ୍କ ଆଡଭୋକେଟ୍‌ଙ୍କୁ ଅନୁମତି ଦିଆଯାଉନଥିବା ଏବଂ ଅନ୍ୟାନ୍ୟ ଅଭିଯୋଗ କରି ମହିଳା ଜଣକ ତଦନ୍ତ ପ୍ରକ୍ରିୟାରୁ ଓହରିଯାଇଥିବା ବେଳେ ଗୋଗୋଇ ଏହି ପ୍ରକ୍ରିୟାରେ ସହଯୋଗ କରିଥିଲେ। ମେ’ ୬ରେ ତିନି ଜଣିଆ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗୋଗୋଇଙ୍କୁ ଯୌନ ନିର୍ଯାତନା ମାମଲାରେ କ୍ଲିନ୍‌ଚିଟ୍‌ ଦେଇଛନ୍ତି।

ଏଜି ଓ ସରକାରଙ୍କ ମଧ୍ୟରେ ମତଭେଦ ରିପୋର୍ଟ ମିଛ: ଜେଟ‌୍ଲୀ
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ ତିନି ଜଣିଆ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯାଉ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ। ଏହି ମାମଲାରେ ଏଜି ଏବଂ ସରକାରଙ୍କ ମଧ୍ୟରେ ମତଭେଦ ଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି। ଜେଟ୍‌ଲୀ କହିଛନ୍ତି ଏହା ସମ୍ପୂର୍ଣ ମିଛ। ବେଣୁଗୋପାଳ ଜଣେ ବରିଷ୍ଠ ଆଡ଼ଭୋକେଟ୍‌ ହିସାବରେ କିଛି ପ୍ରସଙ୍ଗ ଉପରେ ବ୍ୟକ୍ତିଗତ ମତ ଦିଅନ୍ତି ଏବଂ ସରକାର ତାଙ୍କ ପରାମର୍ଶକୁ ସମ୍ମାନ ଦିଅନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe