କଲମ୍ବୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତଠାରୁ ପରାଜୟର ଝଟକା ଏବେ ବି ପାକିସ୍ତାନ କ୍ରିକେଟ୍ରେ ଅନୁଭବ ହେଉଛି। ଏହି ପରାଜୟକୁ ନେଇ ବର୍ତ୍ତମାନ ଓ ପୂର୍ବତନ ପାକିସ୍ତାନୀ କ୍ରିକେଟିୟରଙ୍କ ମଧ୍ୟରେ ଚାଲିଥିବା ବୟାନବାଜି ଏବେ ବିବାଦର ରୁପ ନେଇଛି। ଏହି ବିବାଦର କେନ୍ଦ୍ରରେ ରହିଛନ୍ତି ପାକିସ୍ତାନୀ ଖେଳା​ଳି ଶଦାବ୍ ଖାଁ।
ସେମାନେ ଯାହା କରିନପାରିଥିଲେ, ଆମେ ତାହା କରିଦେଖାଇଥିଲୁ
ଗତ ୧୫ ତାରିଖରେ ଭାରତ ବିପକ୍ଷରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନ ପରେ କେତେକ ପୂର୍ବତନ ପାକିସ୍ତାନୀ କ୍ରିକେଟିୟର ବର୍ତ୍ତମାନ ଦଳର ସଦସ୍ୟ ଥିବା କେତେକ ବରିଷ୍ଠ ଖେଳାଳିଙ୍କୁ ସମାଲୋଚନା କରିଥିଲେ। ଏପରିକି ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ଶଦାବ୍ ପୂର୍ବତନ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପାଲଟା ପ୍ରଶ୍ନ ଉଠାଇଥିଲେ। ନାମିବ୍ୟା ବିପକ୍ଷ ମ୍ୟାଚ୍ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ବର୍ତ୍ତମାନର ପାକିସ୍ତାନୀ ଦଳ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତକୁ ହରାଇଥିଲା। କିନ୍ତୁ ତଥାକଥିତ ମହାନ ପୂର୍ବତନ ଖେଳାଳିମାନଙ୍କ ସମୟରେ ପାକିସ୍ତାନ ଥରେ ବି ବିଶ୍ବକପ୍ରେ ଭାରତକୁ ହରାଇପାରୁନଥିଲା। ସେମାନେ ଯାହା କରିନପାରିଥିଲେ, ଆମେ ତାହା କରିଦେଖାଇଥିଲୁ। ୟୁଏଇରେ ଆୟୋଜିତ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତକୁ ହରାଇଥିବା ପାକିସ୍ତାନୀ ଦଳରେ ଶଦାବ୍ ଜଣେ ସଦସ୍ୟ ଥିଲେ।
ଶଦାବ୍ଙ୍କ ଏପରି ବୟାନ ପରେ ପାକିସ୍ତାନୀ କ୍ରିକେଟ୍ ବୋର୍ଡ ତାଙ୍କ ଉପରେ ଖପ୍ପା ହୋଇଯାଇଛି। ବୋର୍ଡ ପକ୍ଷରୁ ନାଭିଦ୍ ଚିମା ତାଙ୍କୁ ଫୋନ କରି ଅସନ୍ତୋଷ ପ୍ରକଟ କରିଛନ୍ତି। ପୂର୍ବତନ ଖେଳାଳିମାନଙ୍କ ପ୍ରତି ବର୍ତ୍ତମାନର ଖେଳାଳିମାନେ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ ବୋଲି ସେ ଶଦାବ୍ଙ୍କୁ ତାଗିଦ୍ କରିଛନ୍ତି। ଏହା ସହିତ ଭାଷା ଉପରେ ନିୟନ୍ତ୍ରଣ ରଖିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। ଆହୁରି ମଧ୍ୟ ନିଜର ସୀମା ମଧ୍ୟରେ ରହି ବୟାନ ଦେବାକୁ ଦଳର ସବୁ ସଦସ୍ୟଙ୍କୁ ବୋର୍ଡ ପକ୍ଷରୁ ତାଗିଦ୍ କରାଯାଇଛି।
ଆହୁରି ପଢ଼ନ୍ତୁ: Epstein was violent: ଏପ୍ଷ୍ଟିନ୍ ଉଗ୍ର, ମାନସିକ ରୋଗୀ ଥିଲା, ଝିଅମାନଙ୍କୁ ମିଛ ଜାଲରେ ଫଶାଉଥିଲା : ପୀଡ଼ିତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/20/shadab-in-trouble-for-criticizing-former-players-2026-02-20-12-20-53.jpg)