ନୂଆଦିଲ୍ଲୀ: ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ଓ ନିର୍ବାଚନୀ ସଂସ୍କାର ଉପରେ ଆଜି ଲୋକସଭାରେ ଆଲୋଚନା ଚାଲିଥିବା ବେଳେ ଏକ ନାଟକୀୟ ଘଟଣା ଘଟିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହଠାତ ଖୋଲା ବିତର୍କ ପାଇଁ ଆହ୍ୱାନ ଦେବା ପରେ ଶାହ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି- ‘ମୁଁ କ’ଣ କହିବି ତାହା ମୁଁ ନିଜେ ନିଷ୍ପତ୍ତି ନେବି, ତାହା ଆପଣ ନେଇପାରିବେ ନାହିଁ।’ ରାହୁଲଙ୍କ ଆହ୍ବାନ ଓ ଶାହଙ୍କ କଡ଼ା ଜବାବ ନେଇ ଗୃହରେ ସରଗରମ ସ୍ଥିତି ଦେଖିବାକୁ ମିଳିଥିଲା। ଏସ୍‌ଆଇଆର୍‌ ପ୍ରକ୍ରିୟାରେ ଅନୁପ୍ରବେଶକାରୀ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଉଥିବାରୁ ଏହା ବିରୋଧୀ ଦଳର କିଛି ନେତାଙ୍କୁ ସହ୍ୟ ହେଉନାହିଁ ବୋଲି ଶାହ କହିଛନ୍ତି। ବିରୋଧୀ ଦଳମାନେ କେବଳ ଭୋଟ ବ୍ୟାଙ୍କ ହ୍ରାସ ପାଇବା ଭୟରେ ଏସ୍‌ଆଇଆର୍‌କୁ ବିରୋଧ କରୁଛନ୍ତି ଏବଂ ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଶାହ କହିବା ବେଳେ ଏହି ସମୟରେ ରାହୁଲ ଗାନ୍ଧୀ ଏହାକୁ ବିରୋଧ କରିଥିଲେ ଏବଂ ଶାହଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଥିଲେ। ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପି ଓ ନିର୍ବାଚନ କମିସନଙ୍କ ମିଳିତ ଷଡ୍‌ଯନ୍ତ୍ର ଜରିଆରେ ‘ଭୋଟ ଚୋରି’ ହୋଇଛି ବୋଲି ରାହୁଲ କହିଥିଲେ। ସେ କହିଥିଲେ, ‘ମୋର ଭୋଟ୍‌ ଚୋରି ସାମ୍ବାଦିକ ସମ୍ମିଳନୀ ଉପରେ ଆପଣ ବିତର୍କ କରନ୍ତୁ।’

Advertisment

Amit Shah: ସମବାୟ ସମିତିର ବିକାଶ ପାଇଁ ଓଡ଼ିଶାକୁ ୩,୩୪୬ କୋଟି ମିଳିଛି ଅମିତ ଶାହ

ରାହୁଲଙ୍କ ବିତର୍କ ଆହ୍ବାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ
ମୁଁ କ’ଣ କହିବି ନିଜେ ନିଷ୍ପତ୍ତି ନେବି
ନିଶାଣରେ ନେହରୁ-ଇନ୍ଦିରା-ସୋନିଆ

ରାହୁଲଙ୍କ ଆହ୍ୱାନକୁ ଗୃହମନ୍ତ୍ରୀ ଶାହ ସିଧା ପ୍ରତ୍ୟାଖ୍ୟାନ କରି କହିଥିଲେ, ‘ମୁଁ କ’ଣ କହିବି ତାହା ମୋର ନିଷ୍ପତ୍ତି। ମୋର ଭାଷଣର କ୍ରମ ଆପଣ ଧାର୍ଯ୍ୟ କରିପାରିବେ ନାହିଁ। ଆପଣ ଧୈର୍ଯ୍ୟ ଧରିବା ଶିଖନ୍ତୁ।’ ଏହାପରେ ଶାହ, ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗ ଓ ‘ହାଇଡ୍ରୋଜେନ୍‌ ବୋମା’ ପ୍ରସଙ୍ଗରେ କହିଥିଲେ ଯେ କେବଳ ଦେଶରେ ବିଭ୍ରାନ୍ତି ସୃଷ୍ଟି ପାଇଁ ଏହି ଆଖ୍ୟାନ ତିଆରି କରାଯାଇଛି। ଏହି ଅବସରରେ ଶାହ କଂଗ୍ରେସ ଦଳର ଐତିହାସିକ ‘ଭୋଟ ଚୋରି’ର ତିନୋଟି ଉଦାହରଣ ଦେଇଛନ୍ତି-

Accident: ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର

(୧) ୧୯୪୬ରେ କଂଗ୍ରେସ ସଭାପତି ନିର୍ବାଚନରେ ସର୍ଦ୍ଦାର ପଟେଲଙ୍କୁ ୨୮ଟି ଭୋଟ ମିଳିଥିବା ବେଳେ ନେହେରୁଙ୍କୁ ମାତ୍ର ୨ଟି ଭୋଟ୍ ମିଳିଥିଲା, ତଥାପି ନେହରୁ ପ୍ରଧାନମନ୍ତ୍ରୀ ହୋଇଥିଲେ।
(୨) ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ରାଏବରେଲି ନିର୍ବାଚନକୁ ଆଲ୍ଲାହାବାଦ ହାଇକୋର୍ଟ ଅବୈଧ ଘୋଷଣା କରିଥିଲେ ଏବଂ ଇନ୍ଦିରା ଜରୁରିକାଳୀନ ପରିସ୍ଥିତିରେ ଆଇନ ସଂଶୋଧନ କରି ନିଜକୁ ବଞ୍ଚାଇଥିଲେ।
(୩) ସୋନିଆ ଗାନ୍ଧୀଙ୍କ ନାମ ୧୯୮୩ ପୂର୍ବରୁ ଭୋଟର ତାଲିକାରେ ରହିଥିବା ନେଇ ଏବେ ଦିଲ୍ଲୀ କୋର୍ଟରେ ମାମଲା ରହିଛି।
ଲୋକସଭାରେ ଶାହ ଆଜି ନେହରୁ-ଇନ୍ଦିରା-ସୋନିଆଙ୍କୁ ନିଶାଣ କରିଥିବାରୁ ଶୀତ ଅଧିବେଶନ ଆଗକୁ ଅଧିକ ଉତ୍ତେଜନାପୂର୍ଣ୍ଣ ହେବ ବୋଲି ଜଣାପଡ଼ୁଛି।