ଶାହାରୁଖଙ୍କୁ ହତ୍ୟା ଧମକ: ହିନ୍ଦୁସ୍ତାନୀର ପରିଚୟ ଦେଇଥିଲା ଧମକଦାତା

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ଶାହରୁଖ ଭେଟିବା ପାଇଁ ଯାଇଥିଲେ। ଏହି କାରଣରୁ ଶାହରୁଖ ହତ୍ୟା ଧମକ ମିଳିଥାଇ ପାରେ ବୋଲି ଅନୁମାନ କରାଯାଉଛି। ପୁଲିସ ତଦନ୍ତ ଜାରି ରଖିଛି।

ମ


ମୁମ୍ବାଇ: ବଲିଉଡର ଷ୍ଟାର ସଲମାନ ଖାନଙ୍କ ପରେ କିଙ୍ଗ୍ ଖାନ୍ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶାହାରୁଖଙ୍କୁ ଧମକ ମିଳିବା ପରେ ବାନ୍ଦ୍ରା ପୁଲିସ ଷ୍ଟେସନରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ତଦନ୍ତ ସମୟରେ ପୁଲିସ ଆସିଥିବା ଧମକ କଳକୁ ଟ୍ରାକ କରିଥିଲା। ଏହି ଟ୍ରାକ ସମୟରେ କଲଟି ରାୟପୁରରୁ ଆସିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ଟିମ ତୁରନ୍ତ ରାୟପୁରରେ ଯାଇ ପହଞ୍ଚିଯାଇଛନ୍ତି। ସେଠାରେ ଆଗାମୀ ଯାଞ୍ଚ ଜାରି ରହିଛି। 

ମୁମ୍ବାଇ ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି। ଶାହାରୁଖଙ୍କୁ କେଉଁ କାରଣ ପାଇଁ ଏଭଳି ହତ୍ୟା ଧମକ ମିଳିଛି ତାହାର କାରଣ ଜାଣିବା ପାାଇଁ ପୁଲିସ ତଦନ୍ତକୁ କଡ଼ାକଡ଼ି କରିଛି।  ନଭେମ୍ବର ୫ ତାରିଖ ୧ଟା ୨୧ ମିନିଟରେ ବାନ୍ଦ୍ରା ପୁଲିସ ପାଖକୁ ଶାହାରୁଖଙ୍କୁ ହତ୍ୟା ପାଇଁ ଏକ ଧମକ କଲ ଆସିଥିଲା। 

ଏହି କଲ କରି ଧକମ ଦେଇଥିବା ବ୍ୟକ୍ତି ଜଣକ ପୁଲିସକୁ କହିଥି‌ଲା, ‘ଶାହାରୁଖ ମନ୍ନତ ବ୍ୟାଣ୍ଡଷ୍ଟାଣ୍ଡ ବାଲା ଅଟନ୍ତି ନା। ଯଦି ଶାହାରୁଖ ମୋତେ ୫୦ଲକ୍ଷ ଟଙ୍କା ନଦିଅନ୍ତି ‌ତେବେ ମୁଁ ତାଙ୍କୁ ନିଶ୍ଚୟ ହତ୍ୟା କରିବି।’

ଶାହାରୁଖଙ୍କୁ ଏଭଳି ଧମକ ଦେଉଥିବା ବ୍ୟକ୍ତିକୁ ପୁଲିସ ପଚାରିଥିଲା, ‘ଆଚ୍ଛା ଆପଣ କିଏ ଓ କେଉଁଠାରୁ କହୁଛନ୍ତି।’ ଏହାର ଉତ୍ତରରେ ଫୋନ କରିଥିବା ବ୍ୟକ୍ତି ଜଣକ କହିଥିଲା, ‘ମୁଁ କିଏ, କ’ଣ କରେ, କେଉଁଠି ରୁହେ ଓ ମୋର ନାମ କ’ଣ ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ବ ନୁହେଁ। ଯଦି ମୋର ନାମ ଲେଖିବା ପାଇଁ କି ଜାଣିବା ପାଇଁ ଚାହୁଁଛନ୍ତି ତେବେ ହିନ୍ଦୁସ୍ତାନୀ ବୋଲି ଲେଖିଦେବେ।’

ତେବେ ଗତ ବୁଧବାର ରାତିରେ ଶାହାରୁଖଙ୍କୁ ବାନ୍ଦ୍ରାର ପର୍ପଲ ହେଜ ଷ୍ଟୁଡିଓରେ ଦେଖିବାକୁ ମିଳିଥିଲା। ଏଠାକୁ ଶାହାରୁଖ ଡବିଂ କରିବା ପାଇଁ ଆସିଥିଲେ।  ଏହି ସମୟରେ କିଙ୍ଗ ଖାନଙ୍କୁ ଧଳା ସାର୍ଟ ଓ କଳା ପ୍ୟାଣ୍ଟ‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। 

ଗତ ମାସରେ ସଲମାନ ଖାନଙ୍କ ସାଙ୍ଗ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ଲରେନ୍ସ ବି‌ଷ୍ଣୋଇ ଗ୍ୟାଙ୍ଗ କରିଥିବା ସ୍ବୀକାର କରିଥିଲା। ଏହି ଘଟଣା ପରେ ଲରେନ୍ସ ବି‌ଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇ କହିଥିଲା, ‘ଯେଉଁମାନେ ବି ସଲମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ ସେମାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଭଳି ହେବ।’

 ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ଶାହରୁଖ ଭେଟିବା ପାଇଁ ଆସିଥିଲେ। ଏହି କାରଣରୁ ତାଙ୍କୁ ଏହି ହତ୍ୟା ଧମକ ମିଳିଥାଇ ପାରେ ବୋଲି ଅନୁମାନ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe