Image Courtesy of Zee News
ମୁମ୍ବାଇ: ନୂଆବର୍ଷରେ ଇଜିପ୍ଟ ଭ୍ରମଣ ନିମନ୍ତେ ଜଣେ ଭାରତୀୟ ପ୍ରଫେସର୍ଙ୍କୁ ସାହାଯ୍ୟ କରିଥିବା ଇଜିପ୍ଟୀୟ ଟ୍ରାଭେଲ୍ ଏଜେଣ୍ଟ୍ଙ୍କ ପାଖକୁ ଅଭିନେତା ଶାହାରୁଖ୍ ଖାନ୍ ବାର୍ତ୍ତା ଓ ସ୍ବାକ୍ଷରଥିବା ଫଟୋ ଉପହାର ପଠାଇଛନ୍ତି। ଶନିବାର ଦିନ ଏକଥା ଟୁଇଟ୍ କରି ନିଜେ ‘ଅଶୋକ ୟୁନିଭର୍ସିଟି’ର ଅର୍ଥନୀତି ପ୍ରଫେସର୍ ଅଶ୍ବିନୀ ଦେଶପାଣ୍ଡେ ଜଣାଇଛନ୍ତି।
ସେ ଲେଖିଛନ୍ତି, ଇଜିପ୍ଟୀୟ ଟ୍ରାଭେଲ୍ ଏଜେଣ୍ଟ୍ଙ୍କ ନିକଟକୁ ଅଗ୍ରୀମ ଦେୟ ପଠାଇବାରେ ସେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। କିନ୍ତୁ, ସେ ଇଜିପ୍ଟୀୟ ଟ୍ରାଭେଲ୍ ଏଜେଣ୍ଟ୍ ଥିଲେ ଭାରତୀୟ ସିନେ-ତାରକା ଶାହାରୁଖ୍ ଖାନ୍ଙ୍କର ଜଣେ ବଡ଼ ପ୍ରଶଂସକ। ତେଣୁ, ସେ ଆବଶ୍ୟକ ଅଗ୍ରୀମ ନ ପାଇ ମଧ୍ୟ ପ୍ରଫେସର୍ଦେଶପାଣ୍ଡେଙ୍କ ପାଇଁ ଟିକେଟ୍ ବୁକିଙ୍ଗ୍ କରି ଦେଇଥିଲେ। ସେ କହିଥିଲେ, ଆପଣ ଶାହରୁଖ୍ ଖାନ୍ଙ୍କ ଦେଶର ଲୋକ। ଆପଣଙ୍କ ଉପରେ ମୋର ବିଶ୍ବାସ ଅଛି। ମୁଁ ବୁକିଙ୍ଗ୍ କରି ଦେଉଛି। ଆପଣ ପରେ ଟଙ୍କା ଦେଇଦେବେ। ଆଉ କେଉଁ ଦେଶବାସୀଙ୍କ ପାଇଁ ମୁଁ ଏଭଳି କରି ନ ଥାନ୍ତି। ଖାଲି ଶାହାରୁଖ୍ ଖାନ୍ଙ୍କ ପାଇଁ ବିନା ଅଗ୍ରୀମରେ ବୁକିଙ୍ଗ୍ କରୁଛି। ଏବଂ ସତରେ ସେ ଟିକେଟ୍ ବୁକିଙ୍ଗ୍ କରିଦେଲେ।
Image Courtesy of Zee Newsଏହା ପରେ ଅଶ୍ବିନୀ ଇଜିପ୍ଟ ଭ୍ରମଣରେ ଯାଇ ସମ୍ପୃକ୍ତ ଟ୍ରାଭେଲ୍ ଏଜେଣ୍ଟ୍ଙ୍କୁ ଭେଟିଲେ। ଶାହାରୁଖ୍ ଖାନ୍ ପଠାଇଥିବା ଫଟୋ ଉପହାର ମଧ୍ୟ ତାଙ୍କୁ ଦେଲେ। ପୂଜା ଡାଡଲାନି ଏଥିପାଇଁ ବ୍ୟବସ୍ଥା କରିଥିଲେ। ଶାହାରୁଖ୍ ସ୍ବାକ୍ଷର କରି ତିନୋଟି ଫଟୋ ପଠାଇଥିଲେ। ସବୁଠୁ ସୁନ୍ଦର ବାର୍ତ୍ତା ଲେଖା ଥିବା ଫୋଟାଟି ଥିଲା ଇଜିପ୍ଟୀୟ ଟ୍ରାଭେଲ୍ ଏଜେଣ୍ଟ୍ଙ୍କ ପାଇଁ, ଆଉ ଗୋଟିଏ ଥିଲା ତାଙ୍କ ଝିଅ ପାଇଁ ଏବଂ ତୃତୀୟ ଫଟୋଟି ଥିଲା ପ୍ରଫେସର୍ ଦେଶପାଣ୍ଡେଙ୍କ ପାଇଁ।
Follow Us