ଶାହବାଜ ହେବେ ପାକ୍ ପ୍ରଧାନମନ୍ତ୍ରୀ

ଶାହବାଜଙ୍କ ପାଇଁ ପାକିସ୍ତାନର ଦୁର୍ବଳ ଅର୍ଥନୀତି ବଡ଼ ଆହ୍ବାନ

India Today

ଇସ୍‌ଲାମାବାଦ: ପାକିସ୍ତାନରେ ଦୁଇ ସପ୍ତାହ ଧରି ଚାଲିଥିବା ରାଜନୈତିକ ହଟଚମଟର ପରିସମାପ୍ତି ଘଟିଛି। ଗତ ମଧ୍ୟରାତିରେ ପାକିସ୍ତାନ ରାଜନୀତି ନୂଆ ମୋଡ଼ ନେଇଥିଲା। ସୁପ୍ରିମ କୋର୍ଟ ଖୋଲାଥିଲା। ହାଇକୋର୍ଟ ଖୋଲାଥିଲା। ସଂସଦ ବା ନେସନାଲ ଆସେମ୍ବଲି ମଧ୍ୟ ଚାଲିଥିଲା। ଶେଷରେ ଅନାସ୍ଥା ଭୋଟ୍ ଜରିଆରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରାଗଲା। ଏହା ଥିଲା ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା, ଯେଉଁଠି ପ୍ରଧାନମନ୍ତ୍ରୀ ଅନାସ୍ଥା ଭୋଟରେ ହାରି ବିଦା ହୋଇଛନ୍ତି।
ଇମ୍ରାନ୍‌ ଖାନ୍‌ଙ୍କ ବିଦାୟ ପରେ ପିଏଏମ୍‌ଏଲ୍‌-ଏନ୍‌ ସଭାପତି ତଥା ବିରୋଧୀ ମେଣ୍ଟର ନେତା ଶାହବାଜ ସରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଆଜି ଅପରାହ୍ନରେ ନେତା ନିର୍ବାଚିତ ହେବାପରେ ଶାହବାଜ ନେସନାଲ ଆସେମ୍ଲି ସଚିବାଳୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇମ୍ରାନ୍‌ଙ୍କ ଦଳ ପିଟିଆଇ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହ ମହମ୍ମଦ କୁରେସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ଉଭୟଙ୍କ ନାମାଙ୍କନ ପତ୍ରକୁ ସ୍ବୀକୃତି ମିଳିଛି।
ସଂସଦରେ ବି‌େରାଧୀଙ୍କ ସଂଖ୍ୟା ଅଧିକ ଥିବାରୁ ଶାହବାଜ ପ୍ରଧାନମନ୍ତ୍ରୀ ହେବା ଏକ ରକମ ନିଶ୍ଚିତ। ତେବେ ତାଙ୍କ ପାଇଁ ଆସନ୍ତାକାଲି କୋର୍ଟ ସମସ୍ୟା ସୃଷ୍ଟି କରିପାରନ୍ତି। କାରଣ ତାଙ୍କ ବିରୋଧରେ ଚାଲିଥିବା ଅର୍ଥ ହେରଫେର ମାମଲାରେ କୋର୍ଟ ତାଙ୍କର ରାୟ ପ୍ରକାଶ କରିବେ। ଏହା ଉପରେ ସମସ୍ତଙ୍କର ନଜର ରହିଛି। ମିଳିଥିବା ସୂଚନା ଅନୁଯାୟୀ ଶାହବାଜ ପ୍ରଧାନମନ୍ତ୍ରୀ ନିର୍ବାଚିତ ‌େ‌ହଲେ ପାକିସ୍ତାନ ପିପୁଲସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଉପପ୍ରଧାନମନ୍ତ୍ରୀ/ ବୈଦେଶିକ ମନ୍ତ୍ରୀ ହୋଇପାରନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦଳର ସଭ୍ୟ ସ୍ଥାନ ପାଇବେ ବୋଲି କୁହାଯାଉଛି। ଇତିମଧ୍ୟରେ ଶାହବାଜ କହିଛନ୍ତି, ସେ ପୂର୍ବ ସରକାର ବିରୋଧରେ ପ୍ରତିଶୋଧ ପରାୟଣ ହେବେ ନାହିଁ ଏବଂ ଆଇନ ତା’ ରାସ୍ତାରେ କାର୍ଯ୍ୟ କରିବ।

ସୂଚନାଯୋଗ୍ୟ ଯେ ଗତରାତିରେ ନାଟକୀୟ ଘଟଣାକ୍ରମରେ ନ୍ୟାସନାଲ ଆସେମ୍ଲି ବାଚସ୍ପତି ଏବଂ ଉପବାଚସ୍ପତି ଇସ୍ତଫା ଦେବାପରେ ନୂଆ ବାଚସ୍ପତିଙ୍କ ଦ୍ବାରା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା। ରାତି ୧୧ଟା ୫୮ ମିନିଟ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା ଏବଂ ୧୨ଟା ୩୦ରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହୋଇଥିଲା। ଭୋଟ୍‌ ସମୟରେ ଇମ୍ରାନ୍‌ ସଂସଦରେ ଅନୁପସ୍ଥିତ ଥିବା ବେଳେ ତାଙ୍କ ଦଳ ପିଟିଆଇର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଅନ୍ୟପକ୍ଷରେ ଇମ୍ରାନ୍‌ଙ୍କ ସରକାରରେ ସୂଚନା ମନ୍ତ୍ରୀ ଥିବା ଫୱାଦ ଚୌଧାରୀ କହିଛନ୍ତି ଯେ ପିଟିଆ ଦଳଇ ସଦସ୍ୟମାନେ ନେସନାଲ ଆସେମ୍ଲିରୁ ସମୂହ ଇସ୍ତଫା ଦେବେ। ଏହି ପ୍ରକ୍ରିୟା ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନିର୍ବାଚନ ପରେ ଆରମ୍ଭ ହେବ। ଶାହବାଜଙ୍କ ବିରୋଧରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ‌ରହିଥିବାରୁ ତାଙ୍କ ନାମାଙ୍କନ ପତ୍ର ନାକଚ କରିବା ପାଇଁ ଫୱାଦ ଏବଂ ପୂର୍ବ ବିଦେଶ ମନ୍ତ୍ରୀ କୁରେସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe