ନୂଆଦିଲ୍ଲୀ : ଆନ୍ଦୋଳନ କରିବା ଲୋକଙ୍କର ମୌଳିକ ଅଧିକାର। ଗଣତନ୍ତ୍ରରେ କୌଣସି ଆଇନକୁ ବିରୋଧ କରି ଲୋକେ ଆନ୍ଦୋଳନ କରିପାରିବେ। କିନ୍ତୁ ଆନ୍ଦୋଳନ ନାମରେ ରାସ୍ତା ଅବରୋଧ କରିବା ଅତ୍ୟନ୍ତ ଉଦ୍ବେଗଜନକ। ଏଥିରେ ସନ୍ତୁଳନ ରହିବା ଉଚିତ୍ ନଚେତ୍ ଅରାଜକତା ସୃଷ୍ଟି ହେବ ବୋଲି ଜଷ୍ଟିସ୍ ସଂଜୟ କିଶନ କୌଲ୍ ଏବଂ କେଏମ୍ ଜୋସେଫ୍ଙ୍କ ଖଣ୍ଡପୀଠ ଆଜି ଶାହିନ ବାଗ୍ରେ ସିଏଏ ବିରୋଧୀ ଆନ୍ଦୋଳନ ପ୍ରସଙ୍ଗରେ ହୋଇଥିବା ଏକ ଆବେଦନର ଶୁଣାଣି କରି କହିଛନ୍ତି। ଅନ୍ୟପକ୍ଷେ ଶାହିନ ବାଗ୍ ଆନ୍ଦୋଳନକାରୀଙ୍କ ସହ କଥା ହେବାପାଇଁ ସୁପ୍ରିମକୋର୍ଟ ୩ ଜଣ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଛନ୍ତି। ବରିଷ୍ଠ ଆଇନଜୀବୀ ସଂଜୟ ହେଗଡେ, ସାଧନା ରାମଚନ୍ଦ୍ରନ୍ ଏବଂ ପୂର୍ବତନ ମୁଖ୍ୟ ସୂଚନା କମିସନର ୱାଜାହାତ ହବିବୁଲ୍ଲା ଶାହିନ ବାଗ୍ ଆନ୍ଦୋଳନରେ ଆନ୍ଦୋଳନକାରୀଙ୍କ ସହ କଥା ହେବେ। ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ ନକରି ଭିନ୍ନ ସ୍ଥାନରେ ଆନ୍ଦୋଳନ କରିବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ୩ ମଧ୍ୟସ୍ଥି ସେମାନଙ୍କୁ ବୁଝାଇବେ।
ଉଲ୍ଲେଖଯୋଗ୍ୟ ଶାହିନ ବାଗ୍ରେ ସିଏଏ ବିରୋଧୀ ଆନ୍ଦୋଳନକୁ ବିରୋଧ କରି ସୁପ୍ରିମକୋର୍ଟରେ ଦୁଇଟି ଆବେଦନ ହୋଇଛି। ଆଇନଜୀବୀ ଅମିତ ଶାହଣୀ ଏବଂ ବିଜେପି ନେତା ନନ୍ଦ କିଶୋର ଗାର୍ଗଙ୍କ ଦ୍ବାରା ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଦ୍ବାରା ରାସ୍ତା ଅବରୋଧ ବନ୍ଦ କରିବାପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଆଜି ଏହି ୨ଟି ଆବେଦନ ଉପରେ ଶୁଣାଣି କରି କୋର୍ଟ ଉକ୍ତ ମାମଲାରେ ମଧ୍ୟସ୍ଥତା ପାଇଁ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଛନ୍ତି। ମାମଲାରେ ପରବର୍ତ୍ତି ଶୁଣାଣି ଆସନ୍ତା ସୋମବାର ହେବ।
Follow Us