Image Courtesy of NDTV
ନୂଆଦିଲ୍ଲୀ: ଶାହିନବାଗରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଆଜି ଜୋରଦାର ଆନ୍ଦୋଳନ ହୋଇଛି। ଶେଷରେ ଏସଡିଏମ୍ସି (ଦକ୍ଷିଣ ଦିଲ୍ଲୀ ପୌର ନିଗମ) ଶାହିନବାଗ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିଛି। ତେବେ ଜବରଦଖଲ ଉଚ୍ଛେଦ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସିପିଏମ୍ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କିନ୍ତୁ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେନି ବୋଲି ସିଧାସଳଖ ମନା କରିଦେଇଛନ୍ତି। ଜବରଦଖଲ ଉଚ୍ଛେଦ ବିରୋଧରେ ଏକ ରାଜନୈତିକ ଦଳ ଆବେଦନ କରିଥିବାରୁ ସୁପ୍ରିମକୋର୍ଟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ଏଲ୍ ନାଗେଶ୍ବର ରାଓ ଏବଂ ବି.ଆର୍ ଗଭାଇଙ୍କ ଖଣ୍ଡପୀଠ କହିଛନ୍ତି, ମାମଲାରେ ସିପିଏମ୍ କାହିଁକି ଆବେଦନ କରିଛି। ଏହାର କେଉଁ ମୌଳିକ ଅଧିକାର ଉଲ୍ଲଂଘନ ହୋଇଛି।
ଏହା ଉପଯୁକ୍ତ ମଞ୍ଚ ନୁହେଁ। କୋର୍ଟ କହିଛନ୍ତି, ପ୍ରଭାବିତ ଲୋକ କିମ୍ବା ସେମାନଙ୍କ ସଂଘ ଯଦି ଜବରଦଖଲ ଉଚ୍ଛେଦ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେବେ ତେବେ ଅଧିକ ଭଲ ହେବ। କୋର୍ଟ ଆବେଦନକାରୀଙ୍କୁ ହାଇକୋର୍ଟକୁ ଯିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଆମେ ଏହି ମାମଲାରେ ହସ୍ତକ୍ଷେପ କରୁନୁ। କିନ୍ତୁ ଯେତେବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛ ଆଇନ ଅନୁଯାୟୀ କାହିଁକି କରୁନ। ଯେକୌଣସି ଜବରଦଖଲ ଉଚ୍ଛେଦ ପୂର୍ବରୁ ନୋଟିସ୍ କାହିଁକି କରାଯାଉନି। ବିନା ନୋଟିସ୍ରେ କୌଣସି ନିର୍ମାଣ ନଭାଙ୍ଗିବାପାଇଁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜବରଦଖଲ ଉଚ୍ଛେଦ ପାଇଁ ପୌର ଅଧିକାରୀମାନେ ବୁଲ୍ଡୋଜର ସହ ପହଞ୍ଚିବାପରେ ଭୟଙ୍କର ଆନ୍ଦୋଳନ ହୋଇଛି।
Follow Us