ସନ୍ଦେଶଖାଲି ଗଣଦୁଷ୍କର୍ମ ଓ ବର୍ବରତା ମାମଲା: ଶାହାଜାହାନ ଶେଖ୍‌ ଗିରଫ

୪୩ଟି ଅପରାଧ ମାମଲାରେ ମୁଖ୍ୟ ଅଭିଯୁକ୍ତ, ପୁଲିସର ଭୂମିକା ନେଇ ପ୍ରଶ୍ନବାଚୀ

ସନ୍ଦେଶଖାଲି ଗଣଦୁଷ୍କର୍ମ ଓ ବର୍ବରତା ମାମଲା: ଶାହାଜାହାନ ଶେଖ୍‌ ଗିରଫ

Telegraph India

କୋଲକାତା: ପଶ୍ଚିମବଂଗର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ସନ୍ଦେଶଖାଲିରେ ମହିଳାଙ୍କୁ ଗଣଦୁଷ୍କର୍ମ, ଆଦିବାସୀଙ୍କ ଜମି ହଡ଼ପ ଓ ନିରୀହ ଲୋକଙ୍କ ଉପରେ ବର୍ବର ଅତ୍ୟାଚାର ମାମଲାର ମୁଖ୍ୟ ଅଭିଯୁକ୍ତ ଟିଏମ୍‌ସି ନେତା ଶାହାଜାହାନ ଶେଖ୍‌ଙ୍କୁ ଆଜି ଗିରଫ କରାଯାଇଛି । ଦୀର୍ଘ ୫୫ ଦିନ ଫେରାର ରହିବା ପରେ ଗୁରୁବାର ସକାଳେ ଶାହାଜାହାନଙ୍କୁ ଗିରଫ କରାଯାଇଥିଲା। ଅଦଲାତ ତାଙ୍କୁ ୧୦ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ୫୩ ବର୍ଷୀୟ ଏହି ଟିଏମସି ନେତାଙ୍କୁ ଉତ୍ତର ୨୪ ପ୍ରଗଣାର ମିନାଖାନ୍ ଅଞ୍ଚଳରୁ ଗିରଫ କରାଯାଇଛି ବୋଲି ପୁଲିସ କହିଥିବା ବେଳେ ଏହାକୁ ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସନ୍ଦେହ ପ୍ରକଟ କରିଛି। ଶାହାଜାହାନଙ୍କ ଅବସ୍ଥିତି ସଂପର୍କରେ ପୁଲିସ ଆଗୁଆ ଜାଣିଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଜି ଶାହାଜାହାନଙ୍କ ରିମାଣ୍ଡ ପରେ ପୁଲିସ ଅଧିକାରୀ ଘୋଷଣା କରିଥିଲେ ଯେ ପଶ୍ଚିମବଙ୍ଗ ସିଆଇଡି ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଦାୟିତ୍ୱ ନେଇଛି। ଟିଏମ୍‌ସି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ପାଇଁ ହାଇକୋର୍ଟ ରାଜ୍ୟ ପୁଲିସକୁ ସମାଲୋଚନା କରିବାର ତିନି ଦିନ ପରେ ଶାହାଜାହାନଙ୍କୁ ଗିରଫ କରାଯାଇଛି। ଗିରଫଦାରୀ ଉପରେ ରୋକ୍ ଲଗାଇବା ପାଇଁ କୌଣସି ଆଦେଶ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିବା ସହ ଏ ଦିଗରେ ଜରୁରୀ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବାରୋପ କରିଥିଲେ।

୪୩ଟି ଅପରାଧ ମାମଲାରେ ମୁଖ୍ୟ ଅଭିଯୁକ୍ତ
ପୁଲିସର ଭୂମିକା ନେଇ ପ୍ରଶ୍ନବାଚୀ
ଟିଏମ୍‌ସିରୁ ୬ ବର୍ଷ ପାଇଁ ନିଲମ୍ବିତ

ସନ୍ଦେଶଖାଲିର ବହୁ ସଂଖ୍ୟକ ମହିଳା ଶାହାଜାହାନ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ଜବରଦଖଲ ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଶେଖ୍‌ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବାକୁ ଦାବି କରି ମହିଳାମାନେ ଏକ ମାସରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରି ୫ ତାରିଖରେ ଶାହାଜାହାନଙ୍କ ବାସଭବନରେ ଚଢ଼ଉ କରିବାକୁ ଯାଉଥିବା ଇଡି ଟିମ୍ ଉପରେ ଆକ୍ରମଣ ହେବା ପରଠାରୁ ସେ ନିଖୋଜ ଥିଲେ। ପଶ୍ଚିମବଙ୍ଗ ପୁଲିସ ଟିଏମ୍‌ସି ନେତାଙ୍କୁ ଗିରଫଦାରୀରୁ ରକ୍ଷା କରୁଛି ବୋଲି ଅଭିଯୋଗ କରିଆସୁଥିବା ବିଜେପି କହିଛି ଯେ କ୍ରମାଗତ ଆନ୍ଦୋଳନ ଓ ଉଚ୍ଚ ନ୍ୟାୟାଳୟର ତାଗିଦ ଯୋଗୁଁ ମମତା ବାନାର୍ଜୀ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛନ୍ତି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଏହା ଗିରଫ ନୁହେଁ, ବରଂ ଏହା ଟିଏମ୍‌ସିର ଏକ ପାରସ୍ପରିକ ବୁଝାମଣା । ଟିଏମ୍‌ସି ଦୀର୍ଘ ୫୫ ଦିନ ଧରି ଶାହଜାହାନଙ୍କୁ ଯେଭଳି ସୁରକ୍ଷା ଦେଇଥିଲା ତାହା ବିସ୍ମୟକର ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ୪୦ରୁ ଅଧିକ ଅପରାଧିକ ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହନ ଶେଖ୍‌ଙ୍କୁ ଟିଏମ୍‌ସି ଆଜି ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି। ଟିଏମ୍‌ସି ସାଂସଦ ଡେରେକ୍ ଓବ୍ରାଏନ୍ କହିଛନ୍ତି, ଅତୀତରେ ଆମେ ଉଦାହରଣ ସୃଷ୍ଟି କରିଛୁ ଏବଂ ଆଜି ମଧ୍ୟ ଅପରାଧରେ ସଂପୃକ୍ତି ଅଭିଯୋଗ ଆଧାରରେ ନେତାଙ୍କୁ ନିଲମ୍ବନ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe