Times of India
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ ଶନିବାରଠାରୁ କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି। ଶାହ ଶନିବାର ଦିନ ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଜମ୍ମୁ କାଶ୍ମୀରର ଅନ୍ୟ ବରିଷ୍ଠ ଅଧିକାରୀମାନେ ପାଛୋଟି ନେଇଥିଲେ। ଧାରା ୩୭୦ ଉଚ୍ଛେଦ ପରେ ଏବଂ ଜମ୍ମୁ କାଶ୍ମୀର ୨ ଭାଗରେ ବିଭକ୍ତ ହେବାପରେ ଶାହଙ୍କର ଏହା ପ୍ରଥମ କାଶ୍ମୀର ଗସ୍ତ। ଶାହ ଜମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରି କହିଛନ୍ତି ଯେ ଆତଙ୍କବାଦୀମାନେ ଏବେ ହତାଶ ହୋଇ ନିରୀହ ଲୋକଙ୍କୁ ଟାର୍ଗେଟ୍ କରୁଥିବାରୁ ଏହାକୁ ରୋକିବାକୁ କଠୋର ରଣନୀତିରେ କାମ କରିବାକୁ ହେବ। ଶାନ୍ତି ଭଙ୍ଗକାରୀଙ୍କୁ କୌଣସି ସ୍ଥିତିରେ ବି ନିସ୍ତାର ମିଳିବ ନାହିଁ ଏବଂ ଆତଙ୍କବାଦକୁ ମୂଳପୋଛ ଦିଗରେ ଅଭିଯାନ ଜାରି ରହିବ ବୋଲି ଶାହ ଘୋଷଣା କରିଛନ୍ତି। କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଚାଲିବ ଏବଂ ଏହା ସରିବା ପରେ ନିର୍ବାଚନ ହେବ। ନିର୍ବାଚନ ପରେ ରାଜ୍ୟମାନ୍ୟତା ଦିଆଯିବ ବୋଲି ଶାହ କହିଥିଲେ। ଗତ ଜୁନ୍ ୨୨ ତାରିଖରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜମ୍ମୁ କାଶ୍ମୀର ପୁଲିସ ଇନ୍ସପେକ୍ଟର ପରଭେଜ ଅହମଦଙ୍କ ପରିବାର ସଦସ୍ୟଙ୍କୁ ଶାହ ଆଜି ପ୍ରଥମେ ଭେଟିଥିଲେ।
ଶାହ ସହିଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିବା ସହ ସହିଦ ଯବାନଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ପ୍ରଦାନ ସଂକ୍ରାନ୍ତ କାଗଜପତ୍ର ଦେଇଥିଲେ। ନୌଗାମ୍ରେ ଶାହ ଆଜି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଆତଙ୍କବାଦ ନିରୋଧ ଦିଗରେ କେଉଁ ସବୁ ପଦକ୍ଷେପ ଗ୍ରହଣ ହୋଇଛି ସେସବୁ ଦିଗରେ ସେ ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ଶାହଙ୍କୁ ଆତଙ୍କବାଦ ନିରୋଧ ଏବଂ ଅନୁପ୍ରବେଶ ରୋକବା କାର୍ଯ୍ୟକ୍ରମ ପାଇଁ କେଉଁସବୁ ପଦକ୍ଷେପ ଗ୍ରହଣ ହୋଇଛି ସେ ସମ୍ପର୍କରେ ଅବଗତ କରାଯାଇଥିଲା। ଉପରାଜ୍ୟପାଳ, ସେନା, ସିଆରପିଏଫ୍, ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସମେତ ଶୀର୍ଷ ପ୍ରଶାସନିକ ସେବା ଅଧିକାରୀ ଶାହଙ୍କ ବୈଠକରେ ଯୋଗ ଦେଇଥିଲେ।
ବୈଠକରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଚାଲିଥିବା ବିଭିନ୍ନ ଅପରେସନ, ଆତଙ୍କବାଦୀଙ୍କ ଦ୍ବାରା ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କିଲିଂ, ଆତଙ୍କବାଦ ବିପଦ ବଢ଼ିବା ଏବଂ ସୀମାପାର ଅନୁପ୍ରବେଶ ସଂକ୍ରାନ୍ତରେ ଆଲୋଚନା ହୋଇଛି। ବୈଠକରେ ଶାହ ପଚାରିଥିଲେ, ଭାରତୀୟ ସେନାବାହିନୀର ଶକ୍ତି ବୃଦ୍ଧି ସତ୍ତ୍ବେ ଏବଂ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ କାଶ୍ମୀରରେ କାହିଁକି ଆତଙ୍କବାଦ ଏବଂ ଉଗ୍ରବାଦ ବଢ଼ିବାରେ ଲାଗିଛି। ସରକାରୀ ତଥ୍ୟ କହୁଛି ଯେ, ଚଳିତ ବର୍ଷ ଏଯାବତ୍ ଜମ୍ମୁ କାଶ୍ମୀରରେ ୩୨ ନାଗରିକଙ୍କୁ ହତ୍ୟା କରାଯାଇଥିବା ବେଳେ ଗତ ବର୍ଷ ୪ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୯୭ ଯୁବକ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ବିଭିନ୍ନ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଟାର୍ଗେଟ୍ କିଲିଂ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ବାରା ହୋଇଥିବା ଷଡ଼ଯନ୍ତ୍ରର ଏକ ଅଂଶ ହୋଇଥିବାରୁ ଏହାକୁ ରୋକିବା ପାଇଁ ନୂଆ ରଣନୀତି ବାବଦରେ ବୈଠକରେ ଆଲୋଚନା ହୋଇଥିଲା।
Follow Us