aajtak
ମୁମ୍ବାଇ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଶାଦି ଡଟ୍ କମର ମାଲିକ ଅନୁପମ ମିତ୍ତଲ। ଅନୁପମ ସୋସିଆଲ ମିଡିଆରେ ନିଜର ଦୁଇଟି ଫଟୋ ଛାଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବିଷୟରେ ଜଣାଇଛନ୍ତି। ଗୋଟିଏ ଫଟୋରେ ସେ ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ବେଳେ ଅନ୍ୟଟିରେ ଠିଆ ହୋଇଛନ୍ତି। ତାଙ୍କ ହାତ ଭାଙ୍ଗିଯାଇଛି ବୋଲି ଫଟୋରୁ ଜଣାପଡ଼ିଛି। ହେଲେ ଅନୁପମ ଫଟୋ ସେୟାର କରିଥିଲେ ବି ହାତକୁ କ’ଣ ପାଇଁ ବ୍ୟାଣ୍ଡେଜ୍ କରାଯାଇଛି, ତାହା ଜଣାଇନାହାନ୍ତି।
ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଲକ୍ଷ୍ୟସ୍ଥଳ ଯେବେ ଦୂର ହୋଇଯାଏ, ତେବେ ସେଠାରେ ପହଞ୍ଚିବା ପାଇଁ ଅଧିକ ପରିଶ୍ରମ କର। ଅନେକ ବର୍ଷ ହେଲାଣି ନିଜକୁ ଫିଟ କରିବା ପାଇଁ ମୁଁ ଚେଷ୍ଟା ଜାରି ରଖିଥିଲି। ହେଲେ ଯେତେବେଳେ ଆପଣ ନିଜ ଲକ୍ଷ୍ୟସ୍ଥଳର ଖୁବ ନିକଟତର ହୁଅନ୍ତି, ସେତେବେଳେ ଜୀବନ ଆପଣଙ୍କୁ ପୁଣି ଥରେ ଧକ୍କା ଦେଇ ପଛକୁ ଠେଲି ଦିଏ। ଏନେଇ ଆମେ କିଛି କରିପାରିବା ନାହିଁ। ଆମେ କେବଳ ପୁଣି ଥରେ ଛିଡା ହେବାକୁ ଚେଷ୍ଟା କରିପାରିବା।
ଅନୁପମ ମିତ୍ତଲଙ୍କ ପୋଷ୍ଟ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସେ କିପରି ଆହତ ହେଲେ। ଡାକ୍ତରଖାନା ଶଯ୍ୟାରୁ ଫଟୋ ଛାଡିବା ପରେ ଅନୁପମ ମିତ୍ତଲଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରିଥିବା ଦେଖାଯାଇଛି।
Follow Us