ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଆଜି କହିଛନ୍ତି, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ‘ଶୀଶ୍ମହଲ’ ସର୍ବସାଧାରଣ ଦେଖିବାପାଇଁ ଖୋଲିବ। ଦିଲ୍ଲୀର ଜଙ୍ଗପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଏକ ରୢାଲିରେ ଉଦ୍ବୋଧନ ଦେଇ ଶାହ ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କ ଉପରେ ତୀବ୍ର ବର୍ଷିଛନ୍ତି ଏବଂ କହିଛନ୍ତି, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେବଳ ଗୋଟିଏ ଘରେ ସନ୍ତୁଷ୍ଟ ନୁହନ୍ତି ତେଣୁ ସେ ‘ଶୀଶ୍ମହଲ’ ନିର୍ମାଣ କଲେ।
ଶାହ କହିଛନ୍ତି, ‘ଶୀଶ୍ମହଲ’ ନିର୍ମାଣରେ କୋଟି କୋଟି ଟଙ୍କା ପାଣିପରି ଖର୍ଚ୍ଚ ହୋଇଛି ଏବଂ ଏହି ଟଙ୍କା ଦିଲ୍ଲୀ ଲୋକଙ୍କର। ୨୦୧୩ରେ କେଜ୍ରିୱାଲ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବାପରେ ଘର, କାର୍, ସୁରକ୍ଷାକର୍ମୀ ନେବେନାହିଁ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବାପରେ କାର୍ ନେଲେ ଏବଂ ବଙ୍ଗଳା ବି ନେଲେ। ତେବେ ସେ ଗୋଟିଏ ଘରେ ସନ୍ତୁଷ୍ଟ ହେଲେନାହିଁ। ନିଜ ପାଇଁ ସେ ‘ଶୀଶ୍ମହଲ’ ନିର୍ମାଣ କଲେ। ଏଥିରେ ଖର୍ଚ୍ଚ ହୋଇଥିବା ବିପୁଳ ଅର୍ଥ ଦିଲ୍ଲୀ ବାସିନ୍ଦାଙ୍କର। ମୁଁ ପ୍ରତିଜ୍ଞା କରୁଛି ଯେ ସର୍ବସାଧାରଣ ଦେଖିବାପାଇଁ ମୁଁ ଶୀଶ୍ମହଲ ଖୋଲିବି। ଶାହ ପୁଣିଥରେ ଦାବି କରିଛନ୍ତି ଯେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ସମସ୍ତ ମନ୍ଦିର, ସ୍କୁଲ୍ ଏବଂ ଗୁରୁଦ୍ବାରା ନିକଟରେ ମଦ ଦୋକାନ ଖୋଲିଛନ୍ତି। ଏହି ଗୋଟିଏ କାମ ସେ ଉପମୁଖ୍ୟମନ୍ତ୍ରୀ ଭାବେ କରିପାରିଛନ୍ତି ବୋଲି ଶାହ କହିଛନ୍ତି। ସେହିପରି ଦେଶରେ କେବଳ ଜଣେ ଶିକ୍ଷା ମନ୍ତ୍ରୀ ମଦ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି ବୋଲି ଶାହ କହିଛନ୍ତି।
Follow Us