Image Courtesy of NDTV
ନୂଆଦିଲ୍ଲୀ: ବାଂଲାଦେଶ ଛାଡ଼ିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମଙ୍ଗଳବାର (ଅଗଷ୍ଟ ୧୩) ପ୍ରଥମ ଥର ପାଇଁ ଏକ ବିବୃତି ଜାରି କରିଛନ୍ତି। ଶେଖ ହସିନାଙ୍କ ପୁଅ ସଜିବ ୱାଜେଦ ରୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ବୟାନ ସେୟାର କରିଛନ୍ତି । ଅଗଷ୍ଟ ୧୫କୁ ଜାତୀୟ ଶୋକ ଦିବସ ଭାବେ ପାଳନ କରିବାକୁ ଶେଖ୍ ହସିନା ବାଂଲାଦେଶବାସୀଙ୍କୁ ନିବେଦନ କରିଛନ୍ତି।
ବଙ୍ଗବନ୍ଧୁ ଭବନ ସମ୍ପର୍କରେ ଶେଖ ହସିନା କହିଛନ୍ତି, “ଆମ ଅସ୍ତିତ୍ୱର ଆଧାର ଥିବା ଏହି ସ୍ମାରକୀ ଏବେ ପାଉଁଶରେ ପରିଣତ ହୋଇଛି। ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କୁ ଅପମାନିତ କରାଯାଇଛି। ଲକ୍ଷ ଲକ୍ଷ ସହିଦଙ୍କ ରକ୍ତକୁ ଅପମାନିତ କରାଯାଇଥିଲା। ମୁଁ ଦେଶବାସୀଙ୍କ ଠାରୁ ନ୍ୟାୟ ଦାବି କରୁଛି।“
ଶେଖ୍ ହସିନା କହିଛନ୍ତି, ୧୯୭୫ମସିହାରେ ବାଂଲାଦେଶର ଜାତିର ପିତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନ, ତାଙ୍କ ପତ୍ନୀ ବେଗମ ଫଜିଲାତା ଏବଂ ସେମାନଙ୍କ ପରିବାରର ଅନେକ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ଏହି ଦିନ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁଃଖଦ ଘଟଣା । ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।
ଜୁଲାଇ ମାସରୁ ଦେଶରେ ଚାଲିଥିବା ଆନ୍ଦୋଳନ ଏବଂ ହିଂସା ସମୟରେ ହୋଇଥିବା କ୍ଷୟକ୍ଷତି କୁ ନେଇ ଉଦବେଗ ପ୍ରକାଶ କରି ପୂର୍ବତନ ସେ କହିଛନ୍ତି ଯେ ଛାତ୍ର, ଶିକ୍ଷକ, ପୁଲିସ, ସାମ୍ବାଦିକ, ସାଂସ୍କୃତିକ କର୍ମୀ ଏବଂ ଅନ୍ୟ ସାଧାରଣ ନାଗରିକଙ୍କ ସମେତ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରି ଏହାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।
Follow Us