ଟୋକିଓ: ପଶ୍ଚିମ ଜାପାନର ନାରା ସହରରେ ନିର୍ବାଚନୀ ଭାଷଣ ଦେବା ସମୟରେ ଶୁକ୍ରବାର ନୃଶଂସ ହତ୍ୟାର ଶିକାର ହୋଇଥିଲେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନାରା ସହରରେ ଗୁଳିକରି ହତ୍ୟା କରିଥିବା ୪୧ ବର୍ଷୀୟ ଟେତସୁୟା ୟାମାଗାମିଙ୍କୁ ପୁଲିସ ଘଟଣା ପରେ ପରେ ତୁରନ୍ତ ଗିରଫ କରିଥିଲା। ଗିରଫ ପରେ ଏବେ ଅଭିଯୁକ୍ତକୁ ଜେରା କରାଯାଉଥିବା ବେଳେ ହତ୍ୟା ପଛର କାରଣ ସାମ୍ନାକୁ ଆସିଛି।
ଜେରା ସମୟରେ ଅଭିଯୁକ୍ତ କହିଛି ଯେ, ପ୍ରଥମେ ଜଣେ ଧାର୍ମିକ ନେତାଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିଲା। ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସଂଗଠନ ପାଇଁ ଅଭିଯୁକ୍ତର ମା’ ଦେବାଳିଆ ହୋଇପଡ଼ିଥିଲେ। ତାଙ୍କ ମା’ଙ୍କର ଏଭଳି ଅବସ୍ଥାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ପ୍ରଥମେ ଧାର୍ମିକ ନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ହେଲେ ପରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଧାର୍ମିକ ନେତାଙ୍କୁ ସମର୍ଥନ କରୁଥିବା ଏବଂ ଦେଶରେ ତାଙ୍କର ପ୍ରଚାର କରୁଥିବା ଜାଣି ଅଭିଯୁକ୍ତ ଆବେଙ୍କୁ ହତ୍ୟା କରିବାକୁ ମନସ୍ଥ କରିଥିଲା। ତେବେ ଗିରଫ ୟାମାଗାମି କେଉଁ ଧର୍ମଗୁରୁଙ୍କୁ ହତ୍ୟା କରିବାକୁ ଚାହୁଥିଲା, ତାହା ପୁଲିସ ଚିହ୍ନଟ କରିପାରି ନାହିଁ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳେ ନିର୍ବାଚନ ପ୍ରଚାର ପାଇଁ ନାରା ସହରକୁ ଯାଇଥିବା ଆବେ ଏକ ଜନସଭାରେ ଉଦ୍ବୋଧନ ଦେଉଥିବା ବେଳେ ଆକ୍ରମଣକାରୀ ତାଙ୍କୁ ପଛରୁ ଗୁଳିମାଡ଼ କରିଥିଲା। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଥବା ବେଳେ ଘଟଣାସ୍ଥଳରେ ହିଁ ୬୭ ବର୍ଷୀୟ ଆବେ ଟଳି ପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରୟାସ କରାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳିନଥିଲା। ଆବେଙ୍କ ଜୀବନ ରକ୍ଷା ପାଇଁ ପ୍ରୟାସ କରିଥିବା ଡାକ୍ତର କହିଛନ୍ତି ଯେ ଗୋଟିଏ ଗୁଳି ଆବେଙ୍କ ହୃତ୍ପିଣ୍ଡରେ ବଡ଼ ଛିଦ୍ର କରିଦେଇଥିଲା ଏବଂ ତାଙ୍କର ହୃତ୍ସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ପୂର୍ବ ପ୍ରଧାନମନ୍ତ୍ରୀ ଆବେଙ୍କୁ ଏଭଳି ହତ୍ୟା ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି।
Follow Us