Shivakumar vs Siddaramaiah: ଶିବକୁମାର ବନାମ ସିଦ୍ଦରମୈୟା

କର୍ଣ୍ଣାଟକରେ କଂଗ୍ରେସ କନ୍ଦଳ ହଠାତ୍‌ ନୂଆ ମୋଡ଼ ନେଇଛି।  ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଗୋଷ୍ଠୀର ବିଧାୟକମାନେ ଦିଲ୍ଲୀରେ ଡେରା ପକାଇଛନ୍ତି।  କର୍ଣ୍ଣାଟକରେ ସିଦ୍ଦରମୈୟା...

Untitled-20

ବେଙ୍ଗାଲୁରୁ:  କର୍ଣ୍ଣାଟକରେ କଂଗ୍ରେସ କନ୍ଦଳ ହଠାତ୍‌ ନୂଆ ମୋଡ଼ ନେଇଛି।  ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଗୋଷ୍ଠୀର ବିଧାୟକମାନେ ଦିଲ୍ଲୀରେ ଡେରା ପକାଇଛନ୍ତି।  କର୍ଣ୍ଣାଟକରେ ସିଦ୍ଦରମୈୟା ସରକାରକୁ ଗତକାଲି ଅଢ଼େଇ ବର୍ଷ ପୂରଣ ‌ହୋଇଥିବାରୁ ପୂର୍ବ ନିଷ୍ପତ୍ତି ମୁତାବକ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ସେମାନେ ଦଳର ହାଇ କମାଣ୍ଡଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।  ତେବେ  ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି  ଯେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାନେଇ କୌଣସି ଆଲୋଚନା ହୋଇନାହିଁ। ଶିବକୁମାରଙ୍କ ଶିବିରର ଜଣେ ମନ୍ତ୍ରୀଙ୍କ ସମେତ ୧୦ରୁ ଅଧିକ ବିଧାୟକ ଗତକାଲିଠାରୁ ଦିଲ୍ଲୀରେ ଅଛନ୍ତି। ଆଜି ଆହୁରି ଅଧିକ  ବିଧାୟକ  ଦିଲ୍ଲୀ ଯାଇଥିବା ଜଣାପଡ଼ିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଭେଟିବାପାଇଁ ସେମାନଙ୍କର ଯୋଜନା ରହିଛି।  ଅନ୍ୟପକ୍ଷରେ ଖଡ଼ଗେ ଆଜି ବେଙ୍ଗାଲୁରୁରେ ଥିବା ବେଳେ ନୂଆ ଘଟଣାକ୍ରମ ନେଇ କୌଣସି ବୟାନ ଦେଇନାହାନ୍ତି।   

ତେବେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି,  ମୁଁ ହିଁ ମୁଖ୍ୟମନ୍ତ୍ରୀ ରହିବି, ଏବେ ପଦ ପରିବର୍ତ୍ତନ ଯୋଜନା ନାହିଁ।  ନେତୃତ୍ବ ପରିବର୍ତ୍ତନ ନେଇ ଗଣମା‌ଧ୍ୟମ କାହିଁକି ବାରମ୍ବାର ସନ୍ଦେହ ପ୍ରକଟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସିଦ୍ଦରମୈୟା କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ବସାଇବେ ବୋଲି କିଛି କହିନାହାନ୍ତି ଏବଂ  ନେତୃତ୍ବ ପରିବର୍ତ୍ତନ ନିଷ୍ପତ୍ତି କେବଳ ହାଇକମାଣ୍ଡ ହିଁ ନେବେ। ଅନ୍ୟପକ୍ଷେ ସେ  ୫ ବର୍ଷ ମୁଖ୍ୟମନ୍ତ୍ରୀ ରହ‌ିବେ କି ବୋଲି ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତରରେ ସିଦ୍ଦରମୈୟା କହିଛନ୍ତି, ଏହା ଏକ ଅନାବଶ୍ୟକ ଆଲାଚନା।  ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ସଂକ୍ରାନ୍ତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।  

ଅନ୍ୟପକ୍ଷେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ‌ହେବା ସଂକ୍ରାନ୍ତ ଆଲୋଚନା ଉପରେ ନିଜର ନିରବତା ଭାଙ୍ଗି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ବିଭାଜନ କରାଇବା ମୋ ରକ୍ତରେ ନାହିଁ।   ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାକୁ ଥିବାରୁ ଏକ ବିଧାୟକ ଗୋଷ୍ଠୀ କଂଗ୍ରେସ ନେତୃବୃନ୍ଦଙ୍କୁ ଭେଟିବାପାଇଁ ଦିଲ୍ଲୀ ଯାଇଛନ୍ତି।  ସେ କହିଛନ୍ତି, ସମସ୍ତ ୧୪୦ ବିଧାୟକ ମୋର। ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମୁଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ବନ୍ଧା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe