ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ (ମୁଦା) ଜମି ଦୁର୍ନୀତି ମାମଲାର ତଦନ୍ତ ପାଇଁ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କ ଅନୁମୋଦନକୁ ଚ୍ୟାଲେଞ୍ଜ କରୁଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ଅସାଧାରଣ ପରିସ୍ଥିତି ଉପୁଜିଲେ ରାଜ୍ୟପାଳ ସ୍ୱାଧୀନ ନିଷ୍ପତ୍ତି ନେଇପାରିବେ ବୋଲି କୋର୍ଟ କହିଛନ୍ତି।
କୋର୍ଟ କହିଛନ୍ତି ଯେ ସାଧାରଣ ପରିସ୍ଥିତିରେ ରାଜ୍ୟପାଳଙ୍କୁ ଭାରତୀୟ ସମ୍ବିଧାନର ଧାରା ୧୬୩ ଅନୁଯାୟୀ ମନ୍ତ୍ରିପରିଷଦର ସହାୟତା ଓ ପରାମର୍ଶ ଉପରେ କାର୍ଯ୍ୟ କରିବାକୁ ପଡ଼ିଥାଏ, କିନ୍ତୁ ଅସାଧାରଣ ପରିସ୍ଥିତିରେ ସେ ସ୍ୱାଧୀନ ନିଷ୍ପତ୍ତି ନେଇପାରିବେ ଏବଂ ବର୍ତ୍ତମାନର ମାମଲା ଏପରି ଏକ ବ୍ୟତିକ୍ରମ। ଅଦାଲତ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମନୋନୀତ କ୍ୟାବିନେଟର ନିଷ୍ପତ୍ତି ସେମାନଙ୍କ ନେତାଙ୍କ ପ୍ରତି ପକ୍ଷପାତିତାରୁ ମୁକ୍ତ ହେବ ନାହିଁ। ଖଣ୍ଡପୀଠ କହିଛନ୍ତି ଯେ ଆବେଦନରେ ଦର୍ଶାଯାଇଥିବା ତଥ୍ୟକୁ ଖାରଜ କରିବା ପୂର୍ବରୁ ତଦନ୍ତର ଆବଶ୍ୟକତା ରହିଛି।
ମୁଦା ମାମଲାରେ ସିଦ୍ଦରମୈୟାଙ୍କ ବିରୋଧରେ ତିନିଜଣ ସାମାଜିକ କର୍ମୀ ଟିଜେ ଆବ୍ରାହମ, ସ୍ନେହମୟୀ କ୍ରିଷ୍ଣା ଏବଂ ପ୍ରଦୀପ କୁମାର ଏସ୍ପି ଅଭିଯୋଗ କରିବା ପରେ ଜୁଲାଇରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ସିଦ୍ଦରମୈୟାଙ୍କ ପତ୍ନୀ ବିଏମ୍ ପାର୍ବତୀଙ୍କୁ ତାଙ୍କର ୩.୧୬ ଏକର ଜମି ବଦଳରେ ମହୀଶୂରର ଏକ ଉନ୍ନତ ବଜାର ଅଞ୍ଚଳରେ ୫୦:୫୦ ଅନୁପାତ ଯୋଜନାରେ ପ୍ଲଟ୍ ଆବଣ୍ଟନ କରିଥିଲା। ମୁଦା ଦେଇଥିବା ସମ୍ପତ୍ତିର ମୂଲ୍ୟ ମୁଦା ଦ୍ୱାରା ଅଧିଗ୍ରହଣ କରାଯାଇଥିବା ପାର୍ବତୀଙ୍କ ଜମିର ମୂଲ୍ୟ ତୁଳନାରେ ଢେର୍ ଅଧିକ ଥିଲା।
ସିଦ୍ଦରମୈୟା ନିଜ ପକ୍ଷ ରଖି କହିଛନ୍ତି ଯେ ତାଙ୍କ ପତ୍ନୀ ଯେଉଁ ଜମି ପାଇଁ କ୍ଷତିପୂରଣ ପାଇଥିଲେ ତାହା ୧୯୯୮ରେ ତାଙ୍କ ଭାଇଙ୍କଠାରୁ ଉପହାର ଥିଲା। ଏହି କ୍ଷତିପୂରଣ ବିଜେପି ଶାସନ ସମୟରେ ଦିଆଯାଇଥିଲା ଏବଂ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ବିଜେପି ସିଦ୍ଦରମୈୟାଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କରିଛି।
Follow Us