ନିର୍ବାଚନ ପୂର୍ବରୁ ସୁନକଙ୍କୁ ଝଟ୍‌କା: ୭୮ ସାଂସଦଙ୍କ ଇସ୍ତଫା

ନିର୍ବାଚନ ପୂର୍ବରୁ ସୁନକଙ୍କୁ ଝଟ୍‌କା: ୭୮ ସାଂସଦଙ୍କ ଇସ୍ତଫା

ଲଣ୍ଡନ: ଜୁଲାଇ ୪ ତାରିଖରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ତାରିଖ ଘୋଷଣା ପରେ ଶାସକ କଞ୍ଜରଭେଟିଭ୍ ପାର୍ଟିରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି। ଦଳର ମୁଖିଆ ତଥା ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟତମ ରାଜନୈତିକ ସହଯୋଗୀଙ୍କ ସହ ଏବେ ବିଭିନ୍ନ ଅଞ୍ଚଳ ଗସ୍ତରେ ଅଛନ୍ତି। ଏହି ସମୟରେ ଦଳର ଦୁଇ ପୁରୁଖା ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ଏହି ପଦକ୍ଷେପ ପରେ ଦଳରୁ ଇସ୍ତଫା ଦେଇଥିବା ସାଂସଦଙ୍କ ସଂଖ୍ୟା ୭୮ ଛୁଇଁଛି।

ଦୁଇ ଦିନ ମଧ୍ୟରେ ଦୁଇ କ୍ୟାବିନେଟ ମନ୍ତ୍ରୀ ମାଇକେଲ୍ ଗୋଭ୍ ଓ ଆଣ୍ଡ୍ରେ ଲେଡ୍‌ସମ୍‌ ଦଳ ଛାଡ଼ିଛନ୍ତି। ଆସନ୍ତା ନିର୍ବାଚନରେ ଉଭୟ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତେବେ ୭୮ ସାଂସଦଙ୍କ ଇସ୍ତଫା ଦଳୀୟ ସଙ୍କଟକୁ ଜଟିଳ କରିଦେଇଛି। ମନ୍ତ୍ରୀ ଗୋଭ୍ ନିଜର ଇସ୍ତଫା ଓ ନିର୍ବାଚନରୁ ଦୂରେଇ ରହିବା ପ୍ରସଙ୍ଗ ପ୍ରଥମେ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ପରେ ପରେ ଅନ୍ୟଜଣେ ମନ୍ତ୍ରୀ ଲିଡ୍‌ସମ୍‌ ମଧ୍ୟ ଅନୁରୂପ ଭାବେ ନିଜର ଇସ୍ତଫା କଥା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ରାଜନୀତିରୁ ଦୂରେଇଯିବା ପାଇଁ ଏହା ସଠିକ୍‌ ସମୟ ଓ ବର୍ତ୍ତମାନ ନୂତନ ପିଢ଼ି ଆଗେଇ ଆସିବା ଉଚିତ ବୋଲି ସେମାନେ ଦର୍ଶାଇଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ, ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ବେନ୍ ୱାଲେସ୍ ମଧ୍ୟ ସକ୍ରିୟ ରାଜନୀତିରୁ ଦୂରେଇ ରହିବେ ବୋଲି ଘୋଷଣା କରିଥିଲେ।

ନିର୍ବାଚନ ଘୋଷଣା ହେବା ପରେ ପ୍ରଥମ ଚରଣ ପ୍ରଚାର କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖି ଋଷି ସୁନକ ଲଣ୍ଡନ ବାହାରକୁ ଚାଲିଯିବା ଘଟଣାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଅପରପକ୍ଷରେ, ବିରୋଧୀ ଶ୍ରମିକ (ଲେବର) ପାର୍ଟିର ସାଂସଦ ଷ୍ଟେଲା କ୍ରିଜି ସାମାଜିକ ଗଣମାଧ୍ୟମରେ ସୁନକଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେ ସଂପ୍ରତି ଛୁଟି ଚାହୁଛନ୍ତି ଏବଂ ବ୍ରିଟେନ୍ ମଧ୍ୟ ଏକ ନୂତନ ସରକାର ଚାହୁଁଛି। ଶାସକ କଞ୍ଜରଭେଟିଭ୍ ପାର୍ଟି ଏହି ସମାଲୋଚନାର ଜବାବ ଦେଇଛି। ମନ୍ତ୍ରୀ ବିମ୍ ଆଫୋଲାମି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସୁନକ ଛୁଟିରେ ଯାଇନାହାନ୍ତି, ବରଂ ଉତ୍ତର ଇଂଲଣ୍ଡର ନିର୍ବାଚନମଣ୍ଡଳୀ ୟର୍କସାଏରରେ ପ୍ରଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe