Image Courtesy of News Track
ଇସ୍ଲାମାବାଦ୍: ପାକସ୍ତାନର ଲାହୋର ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ବିଧାନସଭା ଭିତରେ ମଙ୍ଗଳବାର ଦିନ ତୁମୁଳ ଯୁକ୍ତିତର୍କ ହେବା ପରେ ବାହାରେ ପାକିସ୍ତାନର ଅର୍ଥମନ୍ତ୍ରୀଙ୍କ ଗାଡ଼ି ଉପରକୁ ଜୋତା ଫିଙ୍ଗା ଯାଇଛି।
ପାକିସ୍ତାନୀ ଗୃହମନ୍ତ୍ରୀ ରାନା ସନାଉଲ୍ଲା ବିଧାନସଭା ବାହାରକୁ ଆସୁଥିବା ବେଳେ ଘଟଣାଟି ଘଟିଛି। ଫିଙ୍ଗା ଯାଇଥିବା ଜୋତାଟି ତାଙ୍କ କାର୍ର ସମ୍ମୁଖ ‘ମିରର୍’ (ଆଇନା) ଉପରେ ବାଜି ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କ ଉପରେ ପଡ଼ିଥିଲା। ସେତେବେଳେ ମନ୍ତ୍ରୀ ସନାଉଲ୍ଲା କାର୍ର ସମ୍ମୁଖ ସିଟ୍ରେ ବସିଥିଲେ।
ଜୋତା ଆକ୍ରମଣ ପର ସନାଉଲ୍ଲାଙ୍କ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯାଇଥିଲା।
Image Grabbed From Videoଜୋତା ଆକ୍ରମଣ ଘଟଣାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ପଞ୍ଜାବ ବିଧାନସଭାରେ ସଦସ୍ୟ ଥିବା ଇମ୍ରାନ୍ ଖାଁଙ୍କ ‘ ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ର (ପିଟିଆଇ) ବିଧାୟକ ରଶିଦ୍ ହାଫୀଜ୍ଙ୍କ ଡ୍ରାଇଭର୍ ଉକ୍ତ ଜୋତା ଫିଙ୍ଗିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ପଞ୍ଜାବ ବିଧାନସଭାର ଅଧିବେଶନ ଶେଷ ହେବା ପରେ ଉପରୋକ୍ତ ଘଟଣାଟି ଘଟିଥିଲା। ମୁଖ୍ୟମନ୍ତ୍ରୀ ପର୍ୱେଜ୍ ଏଲ୍ଲାହିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ଲାଗି ‘ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ୍’ର (ପିଏମ୍ଏଲ୍-ଏନ୍) ସଦସ୍ୟମାନେ ଦାବି କରି ବିଧାନସଭାରେ ହଟ୍ଟଗୋଳ କରିଥିଲେ। ସେତେବେଳେ ପାକିସ୍ତାନର ଗୃହମନ୍ତ୍ରୀ ଏବଂ ତାଙ୍କ ଦଳ ‘ପିଏମ୍ଏଲ୍-ଏନ୍’ର ନେତା ଅତା ତାର୍ୱାର୍ ଦର୍ଶକମାନଙ୍କ ଗ୍ୟାଲେରିରେ ଉପସ୍ଥିତ ଥିଲେ।
ଦଳର ଅନ୍ୟ ନେତାମାନଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସନାଉଲ୍ଲା କହିଛନ୍ତି ଯେ, ଆମକୁ ବିଧାନସଭା ଭିତରକୁ ନ ଛାଡ଼ିବା ଲାଗି ନିରାପତ୍ତା ଏଜେନ୍ସିମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଥିଲା। କିନ୍ତୁ, ‘ପିଏମ୍ଏଲ୍-ଏନ୍’ର ନେତା ଏହି ବେଆଇନ୍ ଆଦେଶ ମାନିବାକୁ ଅଗ୍ରାହ୍ୟ କରି ଦେଇଥିଲେ।
Follow Us