ଶ୍ରଦ୍ଧାଙ୍କୁ ଖଣ୍ଡଖଣ୍ଡ କରିଦେବାକୁ ଧମକ ମିଳିଥିଲା: ୨୦୨୦ରେ ମହାରାଷ୍ଟ୍ର ପୁଲିସରେ ଲିଖିତ ଅଭିଯୋଗ କରିଥିଲେ ଶ୍ରଦ୍ଧା

ଶ୍ରଦ୍ଧାଙ୍କୁ ଖଣ୍ଡଖଣ୍ଡ କରିଦେବାକୁ ଧମକ ମିଳିଥିଲା: ୨୦୨୦ରେ ମହାରାଷ୍ଟ୍ର ପୁଲିସରେ ଲିଖିତ ଅଭିଯୋଗ କରିଥିଲେ ଶ୍ରଦ୍ଧା

ମୁମ୍ବାଇ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ତଦନ୍ତ ଯେତେ ବଢ଼ୁଛି ରହସ୍ୟ ସେତେ ଅଧିକ ଉନ୍ମୋଚିତ ହେଉଛି। ଶ୍ରଦ୍ଧା ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ଅଫତାବ ଆମିନ ବିରୋଧରେ ପୂର୍ବରୁ ମଧ୍ୟ ପୁଲିସ‌ରେ ଅଭିଯୋଗ କରିଥିଲେ। ଅଫତାବ ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ସେ ପୁଲିସରେ ଅଭିଯୋଗ କରିଥିଲେ। ୨୦୨୦ରେ ଶ୍ରଦ୍ଧା ମହାରାଷ୍ଟ୍ରର ତୁଲିଞ୍ଜ ଥାନାରେ ଅଫତାବ ବିରୋଧରେ ଏକ ଏତଲା ରୁଜୁ କରିଥିଲେ। ଶ୍ରଦ୍ଧାଙ୍କ ଏହି ଅଭିଯୋଗପତ୍ର ଆଜି ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି । ୨୦୨୦, ନଭେମ୍ବର ୨୩ ତାରିଖ ଉଲ୍ଲେଖ ଥିବା ଏହି ଅଭିଯୋଗପତ୍ରରେ ଶ୍ରଦ୍ଧା ଲେଖିଛନ୍ତି- ‘ଅଫତାବ ପୁନାୱାଲା ମତେ ଲଗାତାର ମାଡ଼ ମାରୁଛି ଏବଂ ନିର୍ଯାତନା‌ ଦେଉଛି। ଆଜି ସେ ମତେ ଶ୍ବାସରୁଦ୍ଧ କରି ମାରିଦେବାକୁ ଚେଷ୍ଟା କରିଥିଲା। ମତେ ହତ୍ୟା କରି ମୋ ଶରୀରକୁ ଖଣ୍ଡଖଣ୍ଡ କରି ଫୋପାଡ଼ି ଦେବ ବୋଲି ଅଫତାବ ଧମକ ଦେଇଛି। ଗତ ୬ ମାସ ଧରି ଅଫତାବ ମୋ ଉପରେ ଆକ୍ରମଣ କରୁଛି ଏବଂ ମତେ ନିର୍ଯାତନା ଦେଉଛି। କିନ୍ତୁ ପୁଲିସ ପାଖକୁ ଯିବାପାଇଁ ‌ମୋ ପାଖରେ ସାହସ ନଥିଲା।

ଅଫତାବ ମତେ ମାରେ ବୋଲି ତା’ ପରିବାର ଲୋକେ ମଧ୍ୟ ଜାଣନ୍ତି। ଆମେ ୨ ଜଣ ପୂର୍ବ ଦିଲ୍ଲୀରେ ରହୁ ବୋଲି ସେମାନେ ଜାଣନ୍ତି ଏବଂ ସେମାନେ ସପ୍ତାହାନ୍ତରେ ଆମେ ରହୁଥିବା ସ୍ଥାନକୁ ଆସନ୍ତି। ମୁଁ ଅଫତାବକୁ ବିବାହ କରିବି ବୋଲି ତା’ ସହ ମୁଁ ରହିଛି। କିନ୍ତୁ ଆଜିଠାରୁ ମୁଁ ଆଉ ତା’ ସହ ରହିବାକୁ ଚାହୁନାହିଁ। ତେଣୁ ଯଦି ମୋର କୌଣସି କ୍ଷତି ହୁଏ ତେବେ ଏଥିପାଇଁ ଅଫତାବ ଦାୟୀ ରହିବ। କାରଣ ଅଫତାବ ମତେ ମାରିଦେବାପାଇଁ ଧମକ ଦେଇଛି। ଇତି ମଧ୍ୟରେ ତୁଲିଞ୍ଜ ପୁଲିସ କହିଛି, ଶ୍ରଦ୍ଧାଙ୍କ ଅଭିଯୋଗ ପରେ ସେମାନେ ତଦନ୍ତ କରିବାପାଇଁ ତା’ ଘରକୁ ଯାଇଥିଲୁ। କିନ୍ତୁ ଶ୍ରଦ୍ଧା ପରେ ତାଙ୍କ ଏତଲା ପ୍ରତ୍ୟାହାର କରିନେଇଥିଲେ। ଅଫତାବର ପରିବାର ସଦସ୍ୟଙ୍କ ଚାପରେ ସେ ତାଙ୍କ ଏତଲା ଫେରାଇ ନେଇଥିବା କୁହାଯାଉଛି। ଶ୍ରଦ୍ଧାଙ୍କ ଲିଖିତ ବୟାନ ଆଧାରରେ ଏହି ମାମଲାର ଫଏସଲା ହୋଇଥିଲା ବୋଲି ମହାରାଷ୍ଟ୍ର ପୁଲିସ କହିଛି। ଲିଖିତ ବୟାନରେ ଶ୍ରଦ୍ଧା କହିଥିଲେ, ଅଫତାବ ଏବଂ ମୋ ମଧ୍ୟରେ ଥିବା ବିବାଦର ସମାଧାନ ହୋଇସାରିଛି। ଅନ୍ୟପକ୍ଷେ ଅଫତାବର ପଲିଗ୍ରାଫ୍‌ ‌ଟେଷ୍ଟ୍‌ ଆଜି ହୋଇପାରିନାହିଁ ବୋଲି ତଦନ୍ତକାରୀ ଅଫିସର୍‌ ସାଗର ପ୍ରୀତ ହୁଦା କହିଛନ୍ତି। ଆସନ୍ତାକାଲି ଅଫତାବର ନାର୍କୋ ଟେଷ୍ଟ୍‌ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe